
ସେମିକନ୍ ଇଣ୍ଡିଆ ୨୦୨୬ରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଯଶୋଭୂମିଠାରେ ଓଡ଼ିଶା ପାଭିଲିୟନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ସେମିକଣ୍ଡକ୍ଟର ମିଶନ ଅଧୀନରେ ଦେଶରେ ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରୁ ଦୁଇଟି ପ୍ରକଳ୍ପ ଓଡ଼ିଶାକୁ ମିଳିଛି। ଏହି ଦୁଇ ପ୍ରକଳ୍ପ ଅଧୀନରେ ରାଜ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି |
ଓଡ଼ିଶାରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶକୁ ନେଇ ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ପ୍ରାୟ ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି।ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶକୁ ନେଇ ଓଡ଼ିଶା ଆଗକୁ ବଢ଼ୁଥିବା ସେ ଉଲ୍ଲେଖ କରିଛନ୍ତି।ଓଡ଼ିଶାକୁ ଦେଶର ଏକ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଦୁଇଟି ପ୍ରମୁଖ ପ୍ରକଳ୍ପ ନେଇ କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ ସୂଚନା ଦେଇଛନ୍ତି। ୩ଡି ଗ୍ଲାସ୍ ସଲ୍ୟୁସନ୍ସର ଗ୍ଲାସ୍ ସବ୍ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ ପାଇଁ ପ୍ରାୟ ୧,୯୪୩ କୋଟି ଟଙ୍କା ଏବଂ SiCSemର ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟ୍ ପାଇଁ ପ୍ରାୟ ୨,୦୬୬ କୋଟି ଟଙ୍କା ନିବେଶର ବ୍ୟବସ୍ଥା ରହିଛି।SEMICON India 2026 ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେଉଛି, ଯେଉଁଠାରେ ଓଡ଼ିଶା ମଧ୍ୟ ନିଜର ସେମିକଣ୍ଡକ୍ଟର ନିବେଶ ସୁଯୋଗକୁ ପ୍ରଦର୍ଶନ କରୁଛି।




