ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆ

ମା’ କ୍ଷୀର ମିଳୁନି, ଆଉ ଫଳମୂଳ ଖାଇଲେ ବି ଦେହରେ ଯାଉନି। ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା। ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆ। ଜଣକୁ ସିଭିୟର ଓ ଅନ୍ୟ ୨ ଜଣ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଛି | କେବଳ ସେତିକି ନୁହେଁ, ଅନ୍ୟ ଏକ ଛୁଆକୁ ପ୍ରବଳ ଜ୍ୱର ମଧ୍ୟ ରହିଛି। ସ୍ଥିତି ସଙ୍ଗିନ ହେବାରୁ ମହୀଶୂରରୁ ୨ ଜଣ ବରିଷ୍ଠ ବନ୍ୟପ୍ରାଣୀ ବିଶେଷଜ୍ଞ ନନ୍ଦନକାନନରେ ପହଞ୍ଚି ଚିକିତ୍ସା କାର୍ଯ୍ୟ ତଦାରଖ କରୁଛନ୍ତି।
ଛାତି, ପେଟ ଏବଂ ମୁଣ୍ଡର ଏକ୍ସ-ରାୟ ସହ ରକ୍ତ ଓ ନାକରୁ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଟେକ୍ନିକାଲ୍ କମିଟିର ନିର୍ଦ୍ଦେଶକ୍ରମେ ସେମାନଙ୍କୁ ସପୋର୍ଟିଭ୍ ସପ୍ଲିମେଣ୍ଟ୍ ଦିଆଯାଉଛି। ବାକି ରିପୋର୍ଟ ଆସିବା ପରେ ପରବର୍ତ୍ତି ଚିକିତ୍ସା ମଧ୍ୟ କରାଯିବ। ଏମାନଙ୍କ ପ୍ରକୃତ ଉତ୍ସ ଜାଣିବା ପାଇଁ DNA ଟେଷ୍ଟିଂ ପ୍ରସ୍ତୁତି ଚାଲିଛି।ଏହି ୫ ଶିଶୁ ଓରାଙ୍ଗଉଟାନ ଓଡ଼ିଶା ମାଟିକୁ କେମିତି ଏବଂ କେଉଁ ଅନ୍ତର୍ଜାତୀୟ ରାକେଟ୍ ଜରିଆରେ ପହଞ୍ଚିଲେ, ତା’ର ଖୋଳତାଡ଼ କରୁଛନ୍ତି ଓଡ଼ିଶା ପୋଲିସ STF ଏବଂ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ (WCCB)।
ଅନ୍ୟପଟେ ସବୁଠାରୁ ବଡ଼ ଚିନ୍ତା ହେଉଛି ଭାରତୀୟ ଜଳବାୟୁ। କାରଣ ୨୦୧୯ରେ ନନ୍ଦନକାନନର ଏକମାତ୍ର ଲୋକପ୍ରିୟ ଓରାଙ୍ଗଉଟାନ ‘ବିନି’ର ୪୧ ବର୍ଷ ବୟସରେ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିଲା। ଏଭଳି ସ୍ଥିତିରେ ମା’ କ୍ଷୀରରୁ ବଞ୍ଚିତ ହୋଇ ରୋଗାକ୍ରାନ୍ତ ହୋଇପଡ଼ିଥିବା ଏହି ଶିଶୁମାନେ ଆମ ପାଣିପାଗରେ ବଞ୍ଚିପାରିବେ ତ? ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




