
ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା।ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଖାସ କରି ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି | ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକକୁ ଦିଆଯାଇଛି ଅରେଞ୍ଜ ଆଲର୍ଟ।
ଏହାବ୍ୟତୀତ ରାଜ୍ୟର ବାକି ୨୬ ଜିଲ୍ଲାକୁ ରଖାଯାଇଛି ୟେଲୋ ଆଲର୍ଟରେ।କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି।ଆସନ୍ତାକାଲି ବି ବର୍ଷାରୁ ନିସ୍ତାର ନାହିଁ।ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ ଦିନ ଧରି ରାଜ୍ୟରେ ଲାଗି ରହିପାରେ ପ୍ରବଳ ବର୍ଷା।
ରେଡ୍ ଆଲର୍ଟ ପରେ ମୟୂରଭଞ୍ଜରେ ବଡ଼ ନିଷ୍ପତ୍ତି।ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।ତେବେ ଲଘୁଚାପ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ସତର୍କ ରହିବା ସହ ପାଣିପାଗ ବିଭାଗର ସତର୍କ ସୂଚନାକୁ ଗୁରୁତ୍ୱ ଦେବାକୁ ପରାମର୍ଶ।




