୭ ବର୍ଷର ନାବାଳିକାକୁ ଅପହରଣ: ମିଳିଲା ସିସିଟିଭି ଫୁଟେଜ୍


ଭୁବନେଶ୍ବର: ଓଏମ୍ପି ଛକ ରେଳଷ୍ଟେସନ ନିକଟରୁ ଜଣେ ୭ ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ବୃଦ୍ଧ ନାବାଳିକାଙ୍କୁ ନେଇ ଯାଉଥିବା ସିସିଟିଭି (CCTV) ଫୁଟେଜ୍ରେ ଦେଖିବାକୁ ମିଳିଛି। ଏନେଇ ନାବାଳିକାଙ୍କ ପରିବାର ଲୋକେ ଗତ ଶନିବାର କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ରବିବାର ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ନିଖୋଜ ନାବାଳିକାଙ୍କ ସମ୍ପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ପୋଲିସର ସୂଚନା ଅନୁଯାୟୀ, ଗତ ଶନିବାର ଅନୁଗୁଳ ଜିଲ୍ଲାର ସୀମା ଗଡ଼ନାୟକ ଓ ତାଙ୍କ ସ୍ୱାମୀ ୭ ବର୍ଷୀୟା ନାତୁଣୀକୁ ଧରି କେନ୍ଦ୍ରାପଡ଼ାରୁ କଟକ ଫେରିଥିଲେ। କଟକରୁ ଟ୍ରେନ୍ ଯୋଗେ ସେମାନେ ଅନୁଗୁଳ ଯାଇଥାନ୍ତେ। ନାତୁଣୀକୁ ଭୋକ ଲାଗିବାରୁ ଷ୍ଟେସନ ନିକଟରେ ତାକୁ ଛାଡ଼ି ସେମାନେ ଖାଦ୍ୟ ଆଣିବାକୁ ଯାଇଥିଲେ। କିଛି ସମୟ ପରେ ଫେରି ଦେଖିବା ବେଳକୁ ନାତୁଣୀ ସେଠାରେ ନଥିଲା। ରେଳଷ୍ଟେସନ ପଛପଟ ଗେଟ୍ ନିକଟରୁ ସେ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ଏନେଇ ପରିବାର ଲୋକେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।




