ମହାପ୍ରଭୁଙ୍କୁ ନେଇ ନିର୍ମିତ କାର୍ଟୁନ୍ ଫିଲ୍ମ ରିଲିଜ୍ ବ୍ୟାନ୍ କରାଯାଉ: ଜଗତଗୁରୁ ଶଙ୍କରାଚାର୍ଯ୍ୟ


ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ‘ଏଲି ଏନିମେସନ୍ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ‘ମହାପ୍ରଭୁ ଜଗନ୍ନାଥ’ କାର୍ଟୁନ୍ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଶାସ୍ତ୍ର ଓ ପରମ୍ପରା ବିରୋଧୀ ହୋଇଥିବାରୁ ଏହାର ରିଲିଜ୍ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସେ ଦାବି କରିଛନ୍ତି। ଏକ ପ୍ରେସ୍ ରିଲିଜ୍ ଜରିଆରେ ଶଙ୍କରାଚାର୍ଯ୍ୟ କହିଛନ୍ତି, “ଏହି ବିକୃତ କାର୍ଟୁନ୍ ଫିଲ୍ମ ରିଲିଜ୍ ହେଲେ ଜଗନ୍ନାଥ ସଂସ୍କୃତି ସମେତ ସନାତନ ହିନ୍ଦୁ ପରମ୍ପରା ବିକୃତ ହୋଇଯିବ। ଛୋଟ କୋମଳମତି ଶିଶୁମାନେ ଏହାକୁ ଦେଖିଲେ ମହାପ୍ରଭୁଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ଭକ୍ତିଭାବ ହ୍ରାସ ପାଇବ, ଯାହା ଆଗାମୀ ଦିନରେ ସନାତନ ଧର୍ମ ପାଇଁ ବିପଦ ସୃଷ୍ଟି କରିବ।” ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ କୌଣସି କାଳ୍ପନିକ ଚଳଚ୍ଚିତ୍ର ନିର୍ମାଣ ହେବା ଅନୁଚିତ ବୋଲି ଦର୍ଶାଇ ଏହି କାର୍ଟୁନ୍ ଫିଲ୍ମ ରିଲିଜ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବାକୁ ସେ ବଳିଷ୍ଠ ଯୁକ୍ତି ରଖିଛନ୍ତି।




