Uncategorized

ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହେଲା ଶ୍ରାବଣ ମାସ : ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

ଭୁବନେଶ୍ବର: ପବିତ୍ର ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟାତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର ଚାରୋଟି ସୋମବାରରେ ୩୫ଟି ପୋଲିସ ଜିଲ୍ଲାର ୪୫୨ଟି ପ୍ରମୁଖ ଶୈବପୀଠରେ ୩୪ ଲକ୍ଷରୁ ଅଧିକ ଭକ୍ତ ସୁରକ୍ଷିତ ଭାବେ ଦେବଦର୍ଶନ କରିଛନ୍ତି। ସୁରକ୍ଷା, ଭିଡ଼ ଓ ଯାତାୟାତ ପରିଚାଳନା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରସ୍ତୁତି କରାଯାଇଥିବାରୁ ମେଳା ସମୟରେ କୌଣସି ଅଞ୍ଚଳରେ ବଡ଼ଧରଣର ଆଇନଶୃଙ୍ଖଳା ସମସ୍ୟା କିମ୍ବା ଦଳାଚକଟା ଭଳି ଅଘଟଣ ଘଟିନଥିଲା। ଭକ୍ତ ସମାଗମକୁ ଆଧାର କରି ବିଭିନ୍ନ ଶୈବପୀଠରେ ଆବଶ୍ୟକତାନୁସାରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା। କେନ୍ଦ୍ରାଞ୍ଚଳ (କଟକ) ଅଧୀନରେ ଥିବା ଲୋକନାଥ ଦେବ, ଯୋଡ଼ଲିଙ୍ଗ ଶିବ, ବାଲିକପିଳେଶ୍ୱର ଓ ଧବଳେଶ୍ୱର ଭଳି ପ୍ରମୁଖ ପୀଠ ସମେତ ବଲାଙ୍ଗୀର, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାର ଶୈବପୀଠଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ଶ୍ରାବଣ ସୋମବାର ପୂର୍ବରୁ କମିଶନରେଟ୍ ପୋଲିସ ଓ ଜିଲ୍ଲା ପୋଲିସ ପକ୍ଷରୁ ଆଗୁଆ ଯାତାୟାତ ପରାମର୍ଶ ଜାରି କରାଯାଇଥିଲା। ରବିବାର ସନ୍ଧ୍ୟାରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ସମ୍ଭାବ୍ୟ ଭିଡ଼କୁ ଆକଳନ କରି ସମ୍ବେଦନଶୀଳ ଅଞ୍ଚଳରେ ଯାତାୟାତ କଟକଣା ଲାଗୁ ହୋଇଥିଲା। ଗଡ଼ଗଡ଼ିଆ ଘାଟ ଓ ମଧୁସୂଦନ ସେତୁ ଭଳି ସ୍ଥାନରେ ଯାତାୟାତ ନିୟନ୍ତ୍ରଣ କରାଯିବା ସହ ଜରୁରୀକାଳୀନ ଯାନବାହନ ଚଳାଚଳକୁ ନିରବଚ୍ଛିନ୍ନ ରଖାଯାଇଥିଲା।

Related Articles

Back to top button