Uncategorized
ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ


ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଅନଲାଇନ୍ ଡିପଫେକ୍ ଭିଡିଓ ଓ କଣ୍ଟେଣ୍ଟଗୁଡ଼ିକୁ “ଅଶ୍ଳୀଳ, ଅପମାନଜନକ ଓ ମାନହାନିକାରକ” ଦର୍ଶାଇ ସେଗୁଡ଼ିକୁ ତୁରନ୍ତ ହଟାଇବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହିପରି ମାନହାନିକାରକ ଓ ବିକୃତ ସୋସିଆଲ ମିଡିଆ ପୋଷ୍ଟ ପାଇଁ ମେଟା, ଏକ୍ସ କର୍ପ, ଗୁଗୁଲ୍ ଏବଂ ଅଜଣା କଣ୍ଟେଣ୍ଟ କ୍ରିଏଟରଙ୍କ ବିରୋଧରେ ସିଭିଲ୍ ମକଦ୍ଦମା ଦାୟର କରିବାକୁ କୋର୍ଟ ଗଡକରୀଙ୍କୁ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଆରିଫ୍ ଡାକ୍ତରଙ୍କ ଏକକ ଖଣ୍ଡପୀଠ ମେଟା, ଏକ୍ସ କର୍ପ ଏବଂ ଗୁଗୁଲ୍ ଏଲଏଲସିକୁ ଉକ୍ତ ଆପତ୍ତିଜନକ ପୋଷ୍ଟଗୁଡ଼ିକୁ ତୁରନ୍ତ ହଟାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ବିକୃତ ପୋଷ୍ଟ ଅନଲାଇନରେ ରହିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ, ବିଶେଷକରି ଯେଉଁଠାରେ ଯୁବପିଢ଼ିଙ୍କ ସମେତ ସମସ୍ତଙ୍କ ପାଖରେ ଏହା ସହଜରେ ପହଞ୍ଚିପାରୁଛି ବୋଲି କୋର୍ଟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।




