ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହେବେ ୧୩ ହଜାର ପୋଲିସ କର୍ମଚାରୀ


ଭୁବନେଶ୍ବର: ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ପ୍ରାୟ ୧୩ ହଜାର ପୋଲିସ ଫୋର୍ସ ମୁତୟନ ହେବେ। ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଏବଂ ଟ୍ରାଫିକର ସୁପରିଚାଳନାକୁ ପୋଲିସ ବିଭାଗ ସର୍ବାଧିକ ପ୍ରାଥମିକତା ଦେଇଛି। ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ହେବାକୁ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସେମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବ। ଏହାକୁ ଦୃଷ୍ଟିରେ ରଖି ଡିଜିପି ପୋଲିସ ବାହିନୀକୁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଭକ୍ତମାନଙ୍କ ସହ ସେବା ମନୋଭାବ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ରଖି କାର୍ଯ୍ୟ କରିବା। କଠୋରତା ପରିବର୍ତ୍ତେ ସମ୍ପୂର୍ଣ୍ଣ ମାନବୀୟ ବ୍ୟବହାର ପ୍ରଦର୍ଶନ କରିବା। ନିଜକୁ କେବଳ ସୁରକ୍ଷାକର୍ମୀ ନୁହେଁ, ବରଂ ଜଗନ୍ନାଥଙ୍କ ସେବାରେ ନିୟୋଜିତ ଜଣେ ସେବକ ଭାବେ ଗ୍ରହଣ କରି କାର୍ଯ୍ୟ ସମ୍ପାଦନ କରିବା।




