
ଭୁବନେଶ୍ୱର ,ମହାରାଷ୍ଟ୍ରରେ ଗତ ଦୁଇ ଦିନ ହେବ ଲାଗି ରହିଥିବା ମୁସଳଧାରା ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ, ବଡ଼ ଧରଣର ବିପର୍ଯ୍ୟୟ ଘଟିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ, ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁଯାୟୀ, ପ୍ରାୟ ୧୦୦ଟି ଘର, କ୍ଷତିଗ୍ରସ୍ତ ହୋଇଛି ଏବଂ ଭୟଙ୍କର ବନ୍ୟା ଯୋଗୁଁ ଶତାଧିକ ଲୋକ ବେଘର ହୋଇଯାଇଛନ୍ତି। ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଏବଂ ପଶ୍ଚିମ ଭାଗରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଲୋନାଭଲାରେ, ଗତ ୪୮ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ୬୨୫ ମିଲିମିଟର ବର୍ଷା ହୋଇଛି। ଲଗାତାର ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀ, ଏବେ ଉଫାଣିଆ ଅବସ୍ଥାରେ ଅଛନ୍ତି। ଉଲ୍ଲାସ, କାଲୁ ଏବଂ ପିଞ୍ଜଲ ନଦୀ ଚେତାବନୀ ସ୍ତର ଅତିକ୍ରମ କରିସାରିଥିବା ବେଳେ ଅମ୍ବା, ସାବିତ୍ରୀ, କୁଣ୍ଡଳିକା, ପାତାଳଗଙ୍ଗା, ଜଗବୁଡି ଏବଂ ଉଲ୍ଲାସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବଦଲାପୁର, ମୋହାନେ ଏବଂ ଜାମ୍ଭୁଲପାଡ଼ା ପାଇଁ ବନ୍ୟା ଆଲର୍ଟ ଜାରି କରାଯାଇଛି। ସୋମବାର ବର୍ଷା ଯୋଗୁଁ ରାଜ୍ୟର, ଅନେକ ଜିଲ୍ଲାରେ ଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସିଛି। ମୁମ୍ବାଇର ମାନଖୁର୍ଦ୍ଦ ଅଞ୍ଚଳରେ ଏକ ବିଲ୍ଡିଂ ବସ୍ତି ଉପରେ ଭୁଶୁଡ଼ି ପଡ଼ିବାରୁ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।ଏହି ଅଞ୍ଚଳଗୁଡ଼ିକରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ର ଦୁଇଟି ଟିମ୍, ମୁତୟନ କରାଯାଇଛି। NDRF ଟିମ୍ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରିଛି।




