ଡ଼କ୍ଟର ବିଜୟ ମିଶ୍ରଙ୍କ ନାଟକ କୁ ନେଇ “ଶ୍ରୁତି ନାଟକ ଉତ୍ସବ “


ଭୁବନେଶ୍ୱର : ଓଡିଶା ସାହିତ୍ୟ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘ ଦ୍ୱାରା ୨୧.୬.୨୬ ତାରିଖରେ ଆୟୋଜିତ ଡ଼କ୍ଟର ବିଜୟ ମିଶ୍ର ଙ୍କ ନାଟକ କୁ ନେଇ “ଶ୍ରୁତି ନାଟକ ଉତ୍ସବ ” ଆୟୋଜିତ ହୋଇଯାଇଛି । ଡକ୍ଟର ଚନ୍ଦ୍ର ଶେଖର ହୋତା, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଆବାହକତ୍ୱରେ ତଥା ଓଡ଼ିଶା ନାଟ୍ୟ ସଂଘର ସଭାପତି ମିହିର କୁମାର ମେହେରଙ୍କ ସଭାପତିତ୍ୱରେ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଦେବ ପ୍ରସାଦ ଦାଶ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତରୁଣକାନ୍ତି ରାଉତ ଏବଂ ଡକ୍ଟର ବିଜୟ ଚୌଧୁରୀ ସୁସାହିତ୍ୟିକ ଓ ନାଟ୍ୟ ସମୀକ୍ଷକ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ନାଟ୍ୟ ସଂଘର ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ।

ଏହି ଉତ୍ସବରେ ବିଜୟ ମିଶ୍ରଙ୍କ ରଚିତ ଚାରିଟି ନାଟକ ଓଡ଼ିଶା ନାଟ୍ୟ ସଂଘର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଟି ମଣ୍ଡଳ ଯଥା ପୂର୍ବାଞ୍ଚଳ ଜୋନରୁ କାନମାସ୍ , ପାରାଦୀପ ଦ୍ୱାରା ଶ୍ରୀମନ୍ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ତା ରି ଲାଗି’ ପଶ୍ଚିମାଞ୍ଚଳ ଜୋନରୁ ସ୍ୱର, ସମ୍ବଲପୁର ଦ୍ୱାରା ମାନସ ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ଏକଦା ଲାବଣ୍ୟ’ ଉତ୍ତରାଞ୍ଚଳ ଜୋନରୁ ‘ଶୋଭା ଓ କଳାକାର, ବାଲେଶ୍ୱର ଦ୍ୱାରା ‘ଲାଷ୍ଟ ଟ୍ରେନ’ ଏବଂ ଦକ୍ଷିଣାଞ୍ଚଳ ଜୋନରୁ ‘ଦମୟନ୍ତୀ କଳା ପରିଷଦ’ କୋଟପାଡ, କୋରାପୁଟ ଦ୍ୱାରା ପ୍ରସ୍ତୁତ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ‘ଯନ୍ତା’ ପରିବେଶିତ ହୋଇଥିଲା । ଏଇ ଅବସରରେ ନାଟ୍ୟକାର ବିଜୟ ମିଶ୍ରଙ୍କ ସୁପୁତ୍ର ଅରିନ୍ଦମ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନାଟ୍ୟ ସଂଘର କୋଷାଧ୍ୟକ୍ଷ ଅବିନାଶ ଦଣ୍ଡପାଟ ଧନ୍ୟବାଦ୍ ଅର୍ପଣ କରିଥିଲେ।




