Uncategorized

ରାଜଧାନୀ ଉପକଣ୍ଠରେ ବୀଭତ୍ସ ହତ୍ୟାକାଣ୍ଡ: ଘରୁ ଡାକିନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଏକ ସଂଘାତିକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାହାଳ ଅଞ୍ଚଳର ଅନନ୍ତପୁର ପେଟ୍ରୋଲ ପମ୍ପ ସମ୍ମୁଖ କେନାଲ ବନ୍ଧ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଅନନ୍ତପୁର ଗାଁର ଜଗା ବେହେରା। ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବୁଧବାର ସକାଳୁ କେନାଲ ବନ୍ଧ ରାସ୍ତାରେ ଯୁବକଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାହାଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପଟେ, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କେହି ଜଣେ ଜଗାଙ୍କୁ ଘରୁ ଡାକି ନେଇଯାଇଥିଲେ ଏବଂ ପରେ ତାଙ୍କୁ ବାଡ଼େଇ ବାଡ଼େଇ ନିର୍ମମ ଭାବେ ମାରିଦେଇଛନ୍ତି ବୋଲି ଜଗାଙ୍କ ମାଆ ଅଭିଯୋଗ ଆଣିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସେହି ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଓ ଜଗାଙ୍କ ମୋବାଇଲ୍ କଲ୍ ରେକର୍ଡକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ୍ ଚଲାଇଛି।

Related Articles

Back to top button