ଓଡ଼ିଶାରେ ଆରମ୍ଭ ହେଲା ‘ଏସଆଇଆର-୨୦୨୬’ – Bastabbadi


ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ବା ‘ଏସଆଇଆର – ୨୦୨୬’ (SIR) କାର୍ଯ୍ୟକ୍ରମ। ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ଏହି ପ୍ରକ୍ରିୟା ଜାରି ରହିବ। ଏହି ଅଭିଯାନ ଅନ୍ତର୍ଗତ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ପ୍ରତ୍ୟେକ ଭୋଟରଙ୍କ ଘରକୁ ଯାଇ ସେମାନଙ୍କର ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରୁଛନ୍ତି। ବିଏଲଓମାନେ ପରିଦର୍ଶନ ସମୟରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗ୍ରହଣ କରିବା ସହ ସେଗୁଡ଼ିକର ସଠିକତା ଯାଞ୍ଚ କରୁଛନ୍ତି। ଏହି ସମୟରେ ତାଲିକାରେ ଥିବା ସାମାନ୍ୟ ତ୍ରୁଟିଗୁଡ଼ିକର ସଂଶୋଧନ ମଧ୍ୟ କରାଯାଉଛି। ଜଣେ ହେଲେ ବି ଯୋଗ୍ୟ ଭାରତୀୟ ମତଦାତା ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଯେପରି ଏଥିରେ ଅନ୍ତର୍ଭୁକ୍ତ ନହୁଅନ୍ତି, ସେଥିପ୍ରତି ସତର୍କ ଓ ସଜାଗ ରହିବାକୁ ବିଏଲଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ‘SIR-2026’ର ଶୁଭାରମ୍ଭ ଅବସରରେ ଆଜି ପୁରୀ ସମୁଦ୍ରକୂଳରେ ଏକ ଆକର୍ଷଣୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି। ଏକ ସଠିକ୍, ସ୍ୱଚ୍ଛ ଓ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତିରେ ମତଦାତାମାନଙ୍କ ସକ୍ରିୟ ସହଯୋଗ ଏବଂ ଅଂଶଗ୍ରହଣ କେତେ ଗୁରୁତ୍ୱପୂର୍ଣ୍ଣ, ସେହି ବାର୍ତ୍ତା ଏହି ବାଲୁକା କଳା ମାଧ୍ୟମରେ ପ୍ରଦାନ କରାଯାଇଛି।




