ରାଜସ୍ୱ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ୱର: ରାଜ୍ୟରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଥିବା ୧,୬୩୧ଟି ଜିପିଏସ-ମ୍ୟାପ୍ଡ ଜମିଖଣ୍ଡରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏଥିମଧ୍ୟରୁ ୬,୬୩୨.୧୯୭ ଏକର ଜମି ସରକାରୀ ରାଜସ୍ୱ ଜମି ବୋଲି ଚିହ୍ନଟ ହୋଇଛି। ପୂର୍ବ ଫସଲ ଋତୁରେ, ଅର୍ଥାତ୍ ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଯେଉଁ ସ୍ଥାନଗୁଡ଼ିକରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା, ସେସବୁ ସ୍ଥାନର ଜିପିଏସ କୋ-ଅର୍ଡିନେଟ୍ସ ମଧ୍ୟ ପୋଲିସ ବିଭାଗ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ତଥ୍ୟକୁ ଆଧାର କରି ସମ୍ପୃକ୍ତ ଜମିଗୁଡ଼ିକ ଉପରେ ବ୍ୟବସ୍ଥିତ ଓ ନିରନ୍ତର ନିରୀକ୍ଷଣ କରାଯିବ।



