
ଭୁବନେଶ୍ୱର ,ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ, ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ, ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ, ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀ-BEOଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ବଦଳି ଆବେଦନ, ପଠାଇବା ପାଇଁ ୧୦ ମେ ୨୦୨୬ ତାରିଖ ଶେଷ ସମୟସୀମା ଥିଲା। କିନ୍ତୁ ଅନେକ ବିଇଓ ଏହାକୁ ଅବହେଳା କରି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫରୱାର୍ଡ କରିନଥିବା ଜଣାପଡ଼ିଛି। ଏହାକୁ ଗୁରୁତର ପ୍ରଶାସନିକ ଅନୁଶାସନହୀନତା ଭାବେ, ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ ପାଇଥିବା ବିଇଓମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ ରାୟଗଡ଼ା ସହ ବିଭିନ୍ନ ଜିଲ୍ଲାର ଅଧିକାରୀ ଅଛନ୍ତି।




