ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି: ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

କଟକ, ୨୧/୦୫/୨୦୨୬: ଆସନ୍ତା ଜୁଲାଇ ୧ରୁ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୌଣସି ପରିସ୍ଥିତିରେ ଯେପରି ତ୍ରୁଟିବିଚ୍ୟୁତି ନ ଘଟେ, ସେଥିପାଇଁ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ରଥଯାତ୍ରା ସମୟରେ ବିଭିନ୍ନ ନୀତି ନିମ୍ନଲିଖିତ ତାରିଖରେ ଅନୁଷ୍ଠିତ ହେବ:
- ଦେବସ୍ନାନ ପୂର୍ଣ୍ଣିମା: ଜୁନ୍ ୨୯
- ନବଯୌବନ ଦର୍ଶନ: ଜୁଲାଇ ୧୪
- ଶ୍ରୀଗୁଣ୍ଡିଚା ରଥଯାତ୍ରା: ଜୁଲାଇ ୧୬
- ହେରା ପଞ୍ଚମୀ: ଜୁଲାଇ ୨୦
- ସନ୍ଧ୍ୟା ଦର୍ଶନ: ଜୁଲାଇ ୨୩
- ବାହୁଡ଼ା ଯାତ୍ରା: ଜୁଲାଇ ୨୪
- ସୁନାବେଶ: ଜୁଲାଇ ୨୫
- ଅଧରପଣା: ଜୁଲାଇ ୨୬
- ନୀଳାଦ୍ରି ବିଜେ: ଜୁଲାଇ ୨୭
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯାତାୟାତ ସୁଗମ କରିବା ପାଇଁ ଅତିରିକ୍ତ ୮ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ରଥଟଣା ସମୟରେ ରଥଗୁଡ଼ିକର ସୁଗମ ଗତି ପାଇଁ ରଥ ଆଗରେ ସ୍ୱତନ୍ତ୍ର ‘କ୍ଲିୟରାନ୍ସ ପାର୍ଟି’ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ‘କ୍ରାକ୍ ଟିମ୍’ ମୁତୟନ କରାଯିବ। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ସିସିଟିଭି କ୍ୟାମେରା, ରୋଡ୍ ଡିଭାଇଡର, ଡିଲିନେଟର ଏବଂ ସ୍ୱତନ୍ତ୍ର ଟ୍ରାଫିକ ଜୋନ୍ ବ୍ୟବସ୍ଥା କରାଯିବ। ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି।
ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ହୋଟେଲ ଓ ଲଜ୍ଗୁଡ଼ିକରେ ନିୟମିତ ଯାଞ୍ଚ କରିବାକୁ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାହାର ରାଜ୍ୟର ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଫଟୋ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡରେ ଥିବା ଏଲଇଡି (LED) ସ୍କ୍ରିନ୍ରେ ପ୍ରଦର୍ଶନ କରାଯିବ। ଏହାସହ ସମୁଦ୍ରକୂଳ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବ। ଶ୍ରୀମନ୍ଦିର ନିକଟରେ ରକ୍ଷକ ଯାନ, K-9 ସ୍କ୍ୱାଡ୍, ଏନଏସଜି ତାଲିମପ୍ରାପ୍ତ ଏସଓଜି (SOG) ଏବଂ ଏସଟିୟୁ (STU) ଟିମ୍ ମୁତୟନ ରହିବେ। ରେଳବାଇ ପୋଲିସ (GRP) ଏବଂ ଆରପିଏଫ (RPF) ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ।
ଏହି ଉଚ୍ଚସ୍ତରୀୟ ବୈଠକରେ କ୍ରାଇମବ୍ରାଞ୍ଚ ଆରକ୍ଷୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଡିଜିପି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅରୁଣ ବୋଥ୍ରା, ସଞ୍ଜୟ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।




