
ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଛି ଜନସମ୍ପର୍କ ପଦଯାତ୍ରା।ୱାର୍ଡ ନମ୍ବର ୫୨, ବିମାନବନ୍ଦର ରୋଡ୍ସ୍ଥିତ ରାଜାପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ ଦଳୀୟ କର୍ମୀ ଓ ସମର୍ଥକମାନେ ସାମିଲ ହୋଇଥିଲେ।
ସମାବେଶକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାବାସୀଙ୍କ ସେବା ଓ ଭଲ କାମ ପାଇଁ ବିଜୁ ଜନତା ଦଳ ଲୋକଙ୍କ ହୃଦୟରେ ରହିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ।ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ପାଠ୍ୟପୁସ୍ତକ, ପେନ୍ସନ୍, ଚାଷୀଙ୍କ ସମସ୍ୟା, ମହିଳାଙ୍କ ସମସ୍ୟା, ବନ୍ୟା ବିପନ୍ନଙ୍କୁ ରିଲିଫ୍, ଧାନ କିଣା ଏବଂ ନିଯୁକ୍ତି ପରୀକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ସେ ସରକାରଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲେ।
ଓଡ଼ିଶାର ଖଣିଜ ସମ୍ପଦ ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଏବଂ ରାଜ୍ୟର ବିଜେପି ନେତାମାନଙ୍କୁ ଟାର୍ଗେଟ୍ କରିଥିଲେ। ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ସେମାନେ ନିରବ ରହୁଥିବା ବିଜେଡି ସଭାପତି ଅଭିଯୋଗ କରିଥିଲେ।ପାଠ୍ୟପୁସ୍ତକରେ ଥିବା ତ୍ରୁଟି, ରାଜସ୍ୱ ସଂଗ୍ରହ, ବଜେଟ୍ ଅର୍ଥର ବିନିଯୋଗ ଏବଂ ରାଜ୍ୟର ଋଣଭାର ବୃଦ୍ଧିକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ।ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ଅଧିକାର, ସମ୍ମାନ ଓ ବିକାଶ ପାଇଁ ବିଜେଡିର ସଂଗ୍ରାମକୁ ଆହୁରି ତୀବ୍ର କରିବାକୁ ଦଳୀୟ କର୍ମୀମାନଙ୍କୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।
ସମାବେଶରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଦଳର ବହୁ ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଦଳ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ସମସ୍ୟା ଓ ବିଭିନ୍ନ ରାଜ୍ୟ ପ୍ରସଙ୍ଗକୁ ନେଇ ନିଜର ରାଜନୈତିକ ଅଭିଯାନକୁ ଆଗକୁ ବଢ଼ାଇଛି।




