Uncategorized

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ

ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍‌ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥ ନିର୍ମାଣ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଉପରେ ବ୍ୟାପକ ଆଲୋଚନା କରାଯାଇଛି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆବଶ୍ୟକ ୮୧୮ ଖଣ୍ଡ କାଠ ମଧ୍ୟରୁ ୭୧୦ ଖଣ୍ଡ କାଠ ପୁରୀରେ ପହଞ୍ଚି ସାରିଛି। ଚାରମାଳ ପାଇଁ ଢେଙ୍କାନାଳ ହିନ୍ଦୋଳରୁ ଅଧିକ ଏକ ସେଟ୍ ତାଳ କାଠ ଅଣାଯିବାର ବ୍ୟବସ୍ଥା ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ମହାନଗର ନିଗମ ଅଞ୍ଚଳରେ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ। ଅସ୍ୱାଭାବିକ କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଏହି ବୀମା ସହାୟତା ମିଳିବ। ରଥ ସଜାଇବା ପାଇଁ ୧୬୦୦ ମିଟର ବିଭିନ୍ନ ରଙ୍ଗର କନା ଅଣାଯିବ। ସେହିପରି ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଚଳିତ ମାସ ଶେଷ ସୁଦ୍ଧା ୨୮ଟି ରଥ ଟଣା ଦଉଡ଼ି ଓ ୬ଟି କର୍ଡନ ଦଉଡ଼ି ଯୋଗାଇ ଦିଆଯିବ। ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ନିଜ ନିଜ ବିଭାଗର ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Related Articles

Back to top button