Uncategorized

ଜୁନ୍ ୧ରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ରେଳ ଡିଭିଜନ; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶା ରେଳ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଆସନ୍ତା ଜୁନ୍ ୧ ତାରିଖରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି ନୂତନ ‘ରାୟଗଡ଼ା ରେଳ ଡିଭିଜନ’। ଏନେଇ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ଡିଭିଜନଟି ପୂର୍ବ ତଟ ରେଳପଥ (ECoR) ଅଧୀନରେ ରହି କାର୍ଯ୍ୟ କରିବ। ରେଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ପୂର୍ବରୁ ପୂର୍ବ ତଟ ରେଳପଥ ଅଧୀନରେ ଥିବା ୱାଲଟିୟର ଡିଭିଜନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏହାର ଗୋଟିଏ ଅଂଶକୁ ନେଇ ରାୟଗଡ଼ା ଡିଭିଜନ ଗଠନ କରାଯାଇଥିବା ବେଳେ ଅନ୍ୟ ଅଂଶଟି ବିଶାଖାପାଟଣା ଡିଭିଜନ ଭାବେ ନବଗଠିତ ‘ଦକ୍ଷିଣ ତଟ ରେଳବାଇ’  ଜୋନ୍ ଅଧୀନରେ ରହିବ। ଏହି ଡିଭିଜନ ଅଧୀନରେ ମୋଟ ୬୯୬ କିଲୋମିଟର ରେଳପଥ ରହିବ। ଏହା ପୂର୍ବ ତଟ ରେଳବାଇର ଚତୁର୍ଥ ଡିଭିଜନ (ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲଟିୟରର କିଛି ଅଂଶକୁ ମିଶାଇ) ଭାବେ କାର୍ଯ୍ୟ କରିବ। ଏଥିସହିତ ଦେଶର ନୂତନ ରେଳ ଜୋନ୍ ‘ଦକ୍ଷିଣ ତଟ ରେଳବାଇ’ ମଧ୍ୟ ଜୁନ୍ ପହିଲାରୁ କାର୍ଯ୍ୟାରମ୍ଭ କରିବ। ଏହାର ମୁଖ୍ୟାଳୟ ବିଶାଖାପାଟଣାରେ ରହିବ। ରାୟଗଡ଼ାରେ ନୂଆ ଡିଭିଜନ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ରେଳ ସେବା ଏବଂ ଭିତ୍ତିଭୂମିର ଦ୍ରୁତ ବିକାଶ ହେବ ବୋଲି ଆଶା କରାଯାଉଛି।

Related Articles

Back to top button