ଓଡ଼ିଶାଶିକ୍ଷା

ମେ’ ୩ୟ ସପ୍ତାହରେ ବାହାରିବ ଯୁକ୍ତ ୨ ଫଳାଫଳ

ମାଟ୍ରିକ ଓ +୨ ରେଜଲ୍ଟ ପାଇଁ ତାରିଖ ଘୋଷଣା: ପ୍ରଥମ ଥର ଓଡ଼ିଆରେ ମିଳିବ ସାର୍ଟିଫିକେଟ୍

ଭୁବନେଶ୍ୱର, ୦୧/୦୫/୨୦୨୬: ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ରାଜ୍ୟରେ ମାଟ୍ରିକ ଏବଂ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ ପ୍ରକାଶନ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ମେ’ ୨ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ମେ’ ମାସ ତୃତୀୟ ସପ୍ତାହରେ +୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ ଜଣାଇଛନ୍ତି।

ଏହି ବର୍ଷ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀଙ୍କୁ ଓଡ଼ିଆ ଭାଷାରେ ମାଟ୍ରିକ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ୍‌ଟି ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଏହା ସହିତ ଷ୍ଟେଟ୍ ଓପନ୍ ସ୍କୁଲ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆସନ୍ତାକାଲି ପ୍ରକାଶ ପାଇବ।

ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କୁ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶନ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

 

Related Articles

Back to top button