
ଭୁବନେଶ୍ୱର, ୦୧/୦୫/୨୦୨୬: ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବାରେ ବିଳମ୍ବ ଏବଂ ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ବିଜେଡି ଆଜି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ସଂରକ୍ଷଣ ନାଁରେ ବିଜେପି ସରକାର ମିଛ କହି ମହିଳାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରି ଦଳ ପକ୍ଷରୁ ଆସନ୍ତା ମେ’ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ନାରୀ ଅଧିକାର ଅଭିଯାନ’ ଆୟୋଜନ କରାଯିବ।
ବିଜେଡିର ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ୨୦୨୩ ମସିହାରେ କେନ୍ଦ୍ର ସରକାର ଆଣିଥିବା ସଂରକ୍ଷଣ ବିଲ୍କୁ ସମସ୍ତେ ସମର୍ଥନ କରିଥିଲେ। ମାତ୍ର ରାଷ୍ଟ୍ରପତିଙ୍କ ଅନୁମୋଦନର ୨ ବର୍ଷ ୧୦ ମାସ ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ବିଜେପି କେବଳ ମହିଳାମାନଙ୍କୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରୁଛି ଏବଂ ମିଛ କହି ଲୋକଙ୍କୁ ଭ୍ରମିତ କରୁଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
୧୦ରୁ ୨୫ ଯାଏଁ ଚାଲିବ ‘ନାରୀ ଅଧିକାର ଅଭିଯାନ’:
ଏହି ଅଭିଯାନ ମାଧ୍ୟମରେ ବିଜେଡି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯାଇ ମହିଳାମାନଙ୍କୁ ଜାଗ୍ରତ କରିବ। ସରକାର ଯେଉଁ ଭ୍ରମ ସୃଷ୍ଟି କରିଛନ୍ତି, ତାହାକୁ ଲୋକଙ୍କ ସାମ୍ନାକୁ ଅଣାଯିବ। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସବୁ ବିଡିଓ ଏବଂ ତହସିଲଦାରଙ୍କୁ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ।
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ବିଜେଡି ନେତ୍ରୀମାନେ କହିଛନ୍ତି ଯେ, ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡ଼ିଶା ଏବେ ଦେଶରେ ପ୍ରଥମ ସ୍ଥାନରେ ରହିଛି। ବିଧାନସଭାରେ ସରକାର ଭୁଲ୍ ତଥ୍ୟ ରଖି ଲୋକଙ୍କୁ ପ୍ରତାରଣା କରୁଛନ୍ତି ବୋଲି ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ନେତ୍ରୀ ରଞ୍ଜିତା ସାହୁ କହିଛନ୍ତି।




