
ଭୁବନେଶ୍ୱର ,BDA ପକ୍ଷରୁ ଏହା ହେଉଛି ସବୁଠାରୁ ବଡ଼ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। ପ୍ରାୟ ୬୮ ଏକର ଜମିରେ ଜବରଦଖଲ ଉଚ୍ଛେଦ କରାଯାଉଛି। ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଆଜି ଦ୍ବିତୀୟ ଦିନରେ ବି ଚାଲିଛି ଉଚ୍ଛେଦ ପ୍ରକ୍ରିୟା।ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨୦ରୁ ଉର୍ଦ୍ଧ ପୋଲିସ ଅଫିସର ବି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। BDA ର ୧୫୦ଜଣିଆ ଟିମ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୧୦ଟି ଜେସିବି ଏଥିରେ ନିୟୋଜିତ ହୋଇଛନ୍ତି। ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି। ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ। ଗତକାଲିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ । କୌଣସି ଦଙ୍ଗା ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ୮ ଏକର ଜାଗାକୁ ଜବରଦଖଲମୁକ୍ତ କରାଯାଇଥିବା ବେଳେ ପ୍ରାୟ ୧୮୭ ଘରକୁ ମାଟିରେ ମିଶାଯାଇଥିଲା।ଏହାପରେ ଆଜି ସକାଳ ୭ଟାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ଅପରାହ୍ନରେ ଜବରଦଲଖ ଉଚ୍ଛେଦକୁ ବିରୋଧ କରି ଟାୟାର ଜାଳି କିଛି ଲୋକ ପ୍ରତିବାଦ କରିଥିଲେ। ଦଙ୍ଗା ନିୟନ୍ତ୍ରଣ ଟିମ୍ ତାହାକୁ ଆୟତ୍ତ କରିଥିଲେ। ତତକ୍ଷଣାତ ପାଣିମାଡ଼ କରି ବିକ୍ଷୋଭକାରୀଙ୍କୁ ପୋଲିସ୍ ଘଉଡ଼ାଇ ଦେଇଥିଲା।




