
ଭୁବନେଶ୍ୱର, ୦୩/୦୪/୨୦୨୬: ଅନୁଗୁଳ ଜିଲ୍ଲାର ଜଣେ ମହିଳା ପୋଲିସ ହାବିଲଦାରଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯିବା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏହି ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ପୀଡ଼ିତା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କ କୋହଭରା କାହାଣୀ ଓଡ଼ିଶାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଅସୁରକ୍ଷିତ ଅବସ୍ଥାକୁ ସ୍ପଷ୍ଟ କରୁଛି। ପୋଲିସ ବିଭାଗ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ ସାଧାରଣ ମହିଳାମାନେ କିଭଳି ନ୍ୟାୟ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ମିନାକ୍ଷୀ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଆଇ.ଆଇ.ସି. ଗୋବିନ୍ଦ ମାହାରି ଏବଂ ରାଇଟର ଶୁଭକାନ୍ତ ସାହୁଙ୍କ ବିରୁଦ୍ଧରେ ସ୍ପଷ୍ଟ ପ୍ରମାଣ ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଉନାହିଁ। ପୀଡ଼ିତାଙ୍କୁ ବିଭାଗୀୟ ଅଧିକାରୀମାନେ ଅପମାନିତ କରିବା ସହ ତାଙ୍କ ଉପରେ ଚାପ ପକାଉଥିବା ସେ ଦାବି କରିଛନ୍ତି। ଏହି ଘଟଣାରେ ବିଜେପି ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମହିଳା ନେତ୍ରୀମାନଙ୍କ ନୀରବତାକୁ ନେଇ ସେ କଡ଼ା ସମାଲୋଚନା କରିଛନ୍ତି। ଏହାସହ ନିକଟରେ ପ୍ରକାଶିତ NCRB ରିପୋର୍ଟକୁ ଆଧାର କରି ଓଡ଼ିଶାରେ ବଢ଼ୁଥିବା ମହିଳା ନିର୍ଯ୍ୟାତନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ତାଙ୍କୁ ଗୃହ ବିଭାଗ ଚଳାଇବାରେ ଅକ୍ଷମ ବୋଲି କହିଛନ୍ତି।
ମହିଳା କଂଗ୍ରେସ ପକ୍ଷରୁ ଏହି ଘଟଣାରେ ଦୁଇଟି ମୁଖ୍ୟ ଦାବି ରଖାଯାଇଛି। ପ୍ରଥମତଃ, ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଳମ୍ବିତ କରାଯାଉ ଏବଂ ଦ୍ୱିତୀୟରେ, ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଉ। ଯଦି ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳେ, ତେବେ ଆଗାମୀ ଦିନରେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଏହି ସମ୍ମିଳନୀରେ ଜୟଶ୍ରୀ ପଟ୍ଟନାୟକ, ଜୟସ୍ମିତା ମହାନ୍ତି ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।




