ଇରାନ-ଆମେରିକା ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ, ୧୦୦ ଡଲାର ଟପିପାରେ ଅଶୋଧିତ ତୈଳ ଦର

ତେହେରାନ୍ / ଓ୍ୱାଶିଂଟନ,୦୩/୦୩/୨୦୨୬ : ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ସୋମବାର ଲଗାତାର ତୃତୀୟ ଦିନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ପ୍ରତି-ଆକ୍ରମଣ ଜାରି ରହିଥିବା ବେଳେ, ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତି ଦୋହଲିବାକୁ ଆରମ୍ଭ କଲାଣି। ଇରାନର ସର୍ବୋଚ୍ଚ ନେତା ଆୟୋତେଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଯୁଦ୍ଧ ବିରତି ଆଶା କରାଯାଉଥିଲେ ମଧ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗାମୀ ୪ ସପ୍ତାହ ପାଇଁ ଯୁଦ୍ଧ ଜାରି ରଖିବାକୁ ଘୋଷଣା କରିବା ସ୍ଥିତିକୁ ଅଧିକ ଜଟିଳ କରିଛି।
ମଧ୍ୟପ୍ରାଚ୍ୟରୁ ଆସୁଛି ଏହି ସମୟର ସବୁଠାରୁ ବଡ଼ ଖବର। ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଏବେ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ଏହା ସମଗ୍ର ଉପସାଗରୀୟ ଅଞ୍ଚଳକୁ ନିଜ କବ୍ଜାକୁ ନେଇଛି। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଏବେ ସାଉଦି ଆରବର ‘ଆରାମକୋ’ ରିଫାଇନେରି ଏବଂ କାତାରର ଗ୍ୟାସ ପ୍ଲାଣ୍ଟ ଥରହର। ଯେଉଁଥିପାଇଁ ବିଶ୍ୱ ବଜାରରେ ତୈଳ ଦର ନିଆଁ ଲଗାଇବାକୁ ଆରମ୍ଭ କଲାଣି।
ଇରାନ କେବଳ ଆମେରିକାକୁ ନୁହେଁ, ବରଂ ୬ଟି ପ୍ରମୁଖ ଉପସାଗରୀୟ ଦେଶ ଓ ସାଇପ୍ରସ୍ରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍ କରିଛି। ଏହାର ଜବାବରେ ସାଉଦି ଆରବ ଓ ୟୁଏଇ ମଧ୍ୟ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।
ହୋର୍ମୁଜ୍ ଷ୍ଟ୍ରେଟ୍ ଉପରେ ଇରାନ ପ୍ରତିବନ୍ଧକ ଲଗାଇଥିବାରୁ କୁଏତ୍, ଓମାନ ଓ ବାହାରିନ ଭଳି ଦେଶର ରପ୍ତାନି ଠପ୍ ହୋଇଯାଇଛି। ଫଳସ୍ୱରୂପ, ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୬% ବୃଦ୍ଧି ପାଇ ୭୭.୦୮ ଡଲାରରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ ଏହା ଖୁବଶୀଘ୍ର ୧୦୦ ଡଲାର ଟପିଯିବ।
ଯୁଦ୍ଧ ଭୟରେ ନିବେଶକମାନେ ଷ୍ଟକ୍ ମାର୍କେଟରୁ ଟଙ୍କା କାଢି ସୁନା ଓ ରୁପାରେ ନିବେଶ କରୁଛନ୍ତି। ଯେଉଁଥିପାଇଁ ସୁନା ମୂଲ୍ୟରେ ୫% ବୃଦ୍ଧି ଘଟିବା ସହ ଏହା ଏବେ ଆକାଶଛୁଆଁ ହେବାରେ ଲାଗିଛି। ଗୋଟିଏ ପଟେ ଇରାନ ନିଜ ଜିଦ୍ରେ ଅଟଳ ଥିବାବେଳେ, ଅନ୍ୟପଟେ ଆମେରିକା ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଯଦି ଏହି ସଂଘର୍ଷ ଶୀଘ୍ର ନଥମେ, ତେବେ ବିଶ୍ୱ ଏକ ବଡ଼ ଧରଣର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବା ନିଶ୍ଚିତ।




