
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ବଡ଼ ରାଜନୈତିକ ଚାଲ୍। ନିର୍ବାଚନକୁ ଆହୁରି ସମୟ ଥିବାବେଳେ ଏବେଠାରୁ ଆରମ୍ଭ କରିଦେଲେ ରଣନୀତି। ଯୁବକଙ୍କୁ ଚାକିରି, ଚାଷୀଙ୍କୁ ଋଣ ଛାଡ଼, ମହିଳାଙ୍କୁ ସୁରକ୍ଷା ଏବଂ ଗରିବଙ୍କୁ ସ୍ୱାସ୍ଥ୍ୟ ବୀମା। ଏମିତି ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ସହ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟିର ନିର୍ବାଚନୀ ଇସ୍ତାହାର।
ପ୍ରଥମେ ଯୁବବର୍ଗଙ୍କ କଥା। ୫ ବର୍ଷ ମଧ୍ୟରେ ୨୫ ଲକ୍ଷ ସରକାରୀ ଚାକିରି ଦେବାକୁ ଦଳର ପ୍ରତିଶ୍ରୁତି। ଯେଉଁ ସ୍ନାତକ ଯୁବକମାନେ ଚାକିରି ପାଇନାହାନ୍ତି, ସେମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଭତ୍ତା ଦେବାକୁ ଘୋଷଣା। ଏହା ସହିତ ଅନ୍ୟ କ୍ଷେତ୍ରରେ ୨ରୁ ୩ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ସମାଜବାଦୀ ପାର୍ଟି।ଚାଷୀଙ୍କ ପାଇଁ ମଧ୍ୟ ଖୋଲିଛି ପ୍ରତିଶ୍ରୁତିର ପେଡ଼ି। ତୁରନ୍ତ କୃଷି ଋଣ ଛାଡ଼ ସହ ୨୩ଟି ଫସଲ ଏବଂ କ୍ଷୀର ପାଇଁ ଆଇନଗତ ଏମ୍ଏସ୍ପି ଗ୍ୟାରେଣ୍ଟି ଦେବାକୁ ଘୋଷଣା କରିଛି ଦଳ। ଏହା ସହ କୃଷି କାର୍ଯ୍ୟ ପାଇଁ ମାଗଣା ବିଜୁଳି ଏବଂ ଗ୍ରାମାଞ୍ଚଳର ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ମଧ୍ୟ ପ୍ରତିଶ୍ରୁତି ରହିଛି।
ଶିକ୍ଷା କ୍ଷେତ୍ରକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଅଖିଳେଶ। ବନ୍ଦ ହୋଇଥିବା ୨୬ ହଜାର ପ୍ରାଥମିକ ସ୍କୁଲକୁ ପୁଣି ଖୋଲିବା ସହ ଦ୍ୱାଦଶ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଯୋଜନା ଫେରାଇ ଆଣିବାକୁ ଦଳର ପ୍ରତିଶ୍ରୁତି। ସେହିପରି ଗରିବ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ ଏବଂ ମହିଳାଙ୍କ ପାଇଁ ପୋଲିସ ନିଯୁକ୍ତିରେ ୩୩ ପ୍ରତିଶତ ପ୍ରତିନିଧିତ୍ୱ ଦେବାକୁ ଘୋଷଣା କରିଛି ସମାଜବାଦୀ ପାର୍ଟି।
ଏତିକିରେ ସରିନି ପ୍ରତିଶ୍ରୁତିର ତାଲିକା। ମାତ୍ର ୫ ଟଙ୍କାରେ ଲୋକଙ୍କୁ ଭୋଜନ ଯୋଗାଇବା ପାଇଁ ଖୋଲିବ ସମାଜବାଦୀ କ୍ୟାଣ୍ଟିନ୍। ଏହା ସହ ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ଜାତିଗତ ଜନଗଣନା କରିବାକୁ ମଧ୍ୟ ଦଳ ଦେଇଛି ପ୍ରତିଶ୍ରୁତି।ଲକ୍ଷ୍ନୌରେ ଇସ୍ତାହାର ଘୋଷଣା କରିବା ଅବସରରେ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଥିଲେ ଅଖିଳେଶ। ୨୦୧୪ର ‘ଅଚ୍ଛେ ଦିନ୍’ ସ୍ଲୋଗାନକୁ କଟାକ୍ଷ କରି କହିଥିଲେ, ‘ଅଚ୍ଛେ ଦିନ୍ ଆସିଲା ନାହିଁ, ଏବେ ବୁରେ ଦିନ୍ ଯିବାକୁ ଯାଉଛି।’
ତେବେ ଅଖିଳେଶଙ୍କ ଏହି ଇସ୍ତାହାର ମାଧ୍ୟମରେ ସମାଜବାଦୀ ପାର୍ଟି ଯୁବକ, ଚାଷୀ, ମହିଳା ଓ ଗରିବଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ରଣନୀତି କରିଛି। ଏବେ ଦେଖିବାକୁ ବାକି, ଏହି ପ୍ରତିଶ୍ରୁତି ଉତ୍ତରପ୍ରଦେଶର ଭୋଟରଙ୍କ ମନ ଜିଣିପାରୁଛି ନା ନାହିଁ। ୨୦୨୭ରେ ଉତ୍ତରପ୍ରଦେଶର ଗାଦି କାହା ହାତକୁ ଯିବ, ତାହା ନିର୍ଣ୍ଣୟ କରିବେ ଜନତା।




