ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା! ୨ ଶିଶୁଙ୍କ ସମେତ ୬ ମୃତ

ଆମେରିକାରେ ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା। ସମୁଦ୍ର ଭିତରକୁ ଖସିପଡ଼ିଲା ଛୋଟ ସେସ୍ନା ବିମାନ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ମୋଟ ୬ ଜଣଙ୍କର ଜୀବନ ଯାଇଛି। ଘଟଣାଟି ଆମେରିକାର ମିସିସିପି ଉପକୂଳ ନିକଟରେ ଘଟିଛି। ଏକ ସେସ୍ନା-୨୧୦ ବିମାନ ମେକ୍ସିକୋ ଉପସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ଭିତରକୁ ଖସିପଡ଼ିଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ, ବିମାନଟି ପାସ୍କାଗୌଲା ଏବଂ ହର୍ନ ଦ୍ୱୀପ ମଧ୍ୟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଖସିପଡ଼ିଥିଲା।
ବିମାନରେ ମୋଟ ୬ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଚାରି ଜଣ ବୟସ୍କ ବ୍ୟକ୍ତି ଏବଂ ୮ ଓ ୧୦ ବର୍ଷର ଦୁଇ ଜଣ ଶିଶୁ ରହିଥିଲେ। ଦୁର୍ଘଟଣାର ଖବର ପାଇବା ପରେ ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ତୁରନ୍ତ ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସନ୍ଧାନ ସମୟରେ ଉଦ୍ଧାରକାରୀମାନେ ସମୁଦ୍ର ପୃଷ୍ଠରେ ତିନୋଟି ଲାଇଫ୍ ଜ୍ୟାକେଟ୍, ଗୋଟିଏ ଲାଇଫ୍ ରାଫ୍ଟ ଏବଂ ବିମାନର କ୍ୟାବିନ୍ ପାଇଥିଲେ।
କିନ୍ତୁ ସେତେବେଳେ ଯାତ୍ରୀମାନଙ୍କର କୌଣସି ପତ୍ତା ମିଳିନଥିଲା। ଏହାପରେ ବୁଡ଼ାଳିମାନଙ୍କ ସହାୟତାରେ ପୁଣି ଥରେ ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ଦୀର୍ଘ ଘଣ୍ଟାର ପ୍ରୟାସ ପରେ ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ଆୱେରର ତଥ୍ୟ ଅନୁସାରେ, ବିମାନଟି ନ୍ୟୁ ଅର୍ଲିଅନ୍ସରୁ ଫ୍ଲୋରିଡାର ଫୋର୍ଟ ମାୟର୍ସ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଉଡ଼ାଣ ସମୟରେ କେଉଁ କାରଣରୁ ବିମାନଟି ସମୁଦ୍ରରେ ଖସିପଡ଼ିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।




