ଯୁବରାଜଙ୍କ ୩୦ ମିନିଟ୍ର ପରାମର୍ଶ, ବଦଳିଗଲା ବୈଭବଙ୍କ ଖେଳ!

କ୍ରିକେଟ୍ରେ ବୈଭବଙ୍କ ଆତ୍ମବିଶ୍ୱାସକୁ ନେଇ କେବେ ପ୍ରଶ୍ନ ଉଠିନଥିଲା। ହେଲେ ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଆସୁନଥିବାରୁ ମନ ଭିତରେ ଚାଲିଥିଲା ଏକ ଅଲଗା ଲଢ଼େଇ।ଲଗାତାର ୧୦ଟି ଇନିଂସରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରିନଥିଲେ ସେ। ଯାହାକୁ ନେଇ ନିଜ ବ୍ୟାଟିଂକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଏହି ଯୁବ ପ୍ରତିଭା। ଆଉ ଠିକ୍ ଏହି ସମୟରେ ତାଙ୍କୁ ମିଳିଥିଲା ତାଙ୍କ ଆଦର୍ଶ ତଥା ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପରାମର୍ଶ।
ବୈଭବଙ୍କ କହିବା ଅନୁସାରେ, ୟୁଏଇ ବିପକ୍ଷ ଐତିହାସିକ ମ୍ୟାଚ୍ର ପୂର୍ବଦିନ ସେ ମାତ୍ର ଚାରି ଜଣଙ୍କ ସହ କଥା ହୋଇଥିଲେ। ତାଙ୍କ ବାପା, ପିଲାଦିନର କୋଚ୍ ମନୀଷ ଓଝା, ବନ୍ଧୁ ପ୍ରଥମ ଯାଚକ ଏବଂ ଯୁବରାଜ ସିଂହ। ଯୁବରାଜଙ୍କ ସହ ପ୍ରାୟ ୩୦ ମିନିଟ୍ ଧରି ହୋଇଥିଲା ଆଲୋଚନା। ଏହି ଆଲୋଚନାରେ ଯୁବରାଜ ବୈଭବଙ୍କ ବ୍ୟାଟିଂର ତ୍ରୁଟି ବିଷୟରେ ବୁଝାଇଥିଲେ। କେଉଁଠି ଭୁଲ୍ ହେଉଛି ଏବଂ କେଉଁ ଦିଗରେ ସୁଧାର ଆଣିବା ଆବଶ୍ୟକ, ସେନେଇ ଦେଇଥିଲେ ନିର୍ଦ୍ଦିଷ୍ଟ ପରାମର୍ଶ। ଏପରିକି ପ୍ରଥମ ୨୦ଟି ବଲ୍କୁ ଠିକ୍ ଭାବରେ ଖେଳିବା ଉପରେ ଧ୍ୟାନ ଦେଲେ ପୂରା ଇନିଂସର ଚିତ୍ର ବଦଳିଯାଇପାରିବ ବୋଲି ବୁଝାଇଥିଲେ ଯୁବରାଜ।
ଏହାପରେ ବୈଭବ ନିଜ ବ୍ୟାଟିଂର ଭିଡିଓ ଦେଖିଥିଲେ ଏବଂ ନିଜ ତ୍ରୁଟିକୁ ନିଜେ ଚିହ୍ନିପାରିଥିଲେ। ଆଉ ୟୁଏଇ ବିପକ୍ଷ ମ୍ୟାଚ୍ରେ ସେହି ଭୁଲ୍କୁ ଦୋହରାଇନଥିଲେ। ଏହାର ପରିଣାମ ଏବେ ସମସ୍ତଙ୍କ ସାମ୍ନାରେ। ମାତ୍ର ୫୩ଟି ବଲ୍ରେ ୨୦୪ ରନ୍! ୭ଟି ଚୌକା ଏବଂ ୨୮ଟି ଛକା। ୩୮୪.୯୧ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ବୋଲରଙ୍କ ନିଦ ହଜାଇ ଦେଇଥିଲେ ବୈଭବ। ଏହି ଇନିଂସ କେବଳ ତାଙ୍କ ବ୍ୟାଟିଂ କ୍ଷମତାର ପ୍ରମାଣ ନୁହେଁ, ବରଂ ଠିକ୍ ସମୟରେ ଠିକ୍ ପରାମର୍ଶ କେତେ ବଡ଼ ପରିବର୍ତ୍ତନ ଆଣିପାରେ, ତାହାର ମଧ୍ୟ ଏକ ଉଦାହରଣ।




