
ଭୁବନେଶ୍ୱର, ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀକକ୍ଷରେ, ଗଞ୍ଜାମ ଜିଲ୍ଲାର ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ସହ, ପୁନରୁଦ୍ଧାର କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିସ୍ଥିତି, ଲୋକଙ୍କ ସମସ୍ୟା ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ, ବିସ୍ତୃତ ତଥ୍ୟ ନେଇଥିଲେ। ଏହା ପୂର୍ବରୁ ଛତ୍ରପୁର ବ୍ଲକର ବଉଳଗାଁ ଓ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗ୍ରାମକୁ ଯାଇ, କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତି ସମ୍ପର୍କରେ ଜନପ୍ରତିନିଧି, ଜିଲ୍ଲାପାଳ ଓ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଭବିଷ୍ୟତରେ ଏଭଳି ବିପର୍ଯ୍ୟୟରୁ ଗଞ୍ଜାମକୁ ସୁରକ୍ଷା ଦେବା ପାଇଁ ସ୍ଥାୟୀ ପ୍ରତିକାରମୂଳକ ବ୍ୟବସ୍ଥା ଉପରେ, ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ। ଋଷିକୁଲ୍ୟା ନଦୀର ସମଗ୍ର ଜଳପ୍ରବାହ ଅଞ୍ଚଳର ବିସ୍ତୃତ ଅଧ୍ୟୟନ କରି ଏକ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ଯୋଜନା ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ କହିଥିଲେ। ଆବଶ୍ୟକ ସ୍ଥାନରେ ଆଡ଼ିବନ୍ଧ, ନଦୀବନ୍ଧ ଓ ଅନ୍ୟାନ୍ୟ ଜଳ ନିୟନ୍ତ୍ରଣ ଭିତ୍ତିଭୂମି ନିର୍ମାଣ କରି, ନଦୀର ଜଳ ଯେପରି ଚାଷଜମି ଓ ଜନବସତିକୁ ପ୍ରବେଶ ନକରେ, ସେଥିପାଇଁ ବୈଷୟିକ ଅଧ୍ୟୟନଭିତ୍ତିକ ଯୋଜନା ଉପରେ, ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କୁ ଚିହ୍ନଟ କରି ନ୍ୟାୟସଙ୍ଗତ ସହାୟତା ଦିଆଯିବ। ରାସନକାର୍ଡ ନଥିବା ପରିବାରକୁ ମଧ୍ୟ ପ୍ରାଧାନ୍ୟ ଦେଇ ସହାୟତା ଦିଆଯିବ। କୃଷି ଇନ୍ପୁଟ୍ ସବ୍ସିଡି, ଘରଭଙ୍ଗା ସହାୟତା ଓ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ,ପ୍ରକୃତ କ୍ଷତିର ଆକଳନ ସପ୍ତାହକ ମଧ୍ୟରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଥିଲେ।




