ଓଡ଼ିଶା

ବାଲିଯାତ୍ରାକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ । ଉଦଘାଟନ କରିବେ ରାଷ୍ଟ୍ରପତି

ଆସନ୍ତାକାଲିଠୁ ଉତ୍ସବମୁଖର ହେବ କଟକ ସହର। ମହାନଦୀ କୂଳରେ ଜମିବ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼। ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବାକୁ କଟକ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମ ଅନୁସାରେ, ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବ୍‌ରୁ ‘କଳିଙ୍ଗ ତରଙ୍ଗିଣୀ’ ବୋଟ୍‌ରେ ଯାତ୍ରା କରି କଟକ ଇନ୍ କଟକରେ ପହଞ୍ଚିବେ। ଏହାପରେ ବୈଷ୍ଣବ ପାଣି ମଞ୍ଚରେ ପହଞ୍ଚି ବାଲିଯାତ୍ରାର ଶୁଭ ଉଦ୍‌ଘାଟନ କରିବେ।

ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ଜିଲ୍ଲାପାଳ ଏବଂ କଟକ ମହାନଗର ନିଗମ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତିର ତଦାରଖ କରିଛନ୍ତି। ଏହି ଉଦ୍‌ଘାଟନୀ ସମାରୋହକୁ ୧୪୭ ଜଣ ବିଧାୟକ ଏବଂ ୨୧ ଜଣ ସାଂସଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।ଏହାସହ କଟକ ଇନ୍ କଟକରେ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଫୁଲ୍ ପ୍ରୁଫ୍ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି। କଟକ ଡିସିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବ୍ଲୁ ବୁକ୍ ନିୟମ ଅନୁସାରେ ରାଷ୍ଟ୍ରପତିଙ୍କ ପାଇଁ ରହିବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା।ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍‌ରେ ସାଦା ପୋଷାକରେ ପୋଲିସ କର୍ମଚାରୀ ମୁତୟନ ହେବେ। ଏଥିସହ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟାରିକେଡିଂ କରାଯିବ।

କେବଳ ରାଷ୍ଟ୍ରପତିଙ୍କ ଗସ୍ତ ନୁହେଁ, ବାଲିଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ରହିବ ପୋଲିସର କଡ଼ା ନଜର।ବାଲିଯାତ୍ରା ପଡ଼ିଆରେ ମୁତୟନ ହେବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୪୦୦ ଅଧିକାରୀ। ସୁରକ୍ଷା ନିରୀକ୍ଷଣ ପାଇଁ ରହିବ ୩୮ଟି ୱାଚ୍ ଟାୱାର। ସେହିପରି ପଡ଼ିଆର ବିଭିନ୍ନ ସ୍ଥାନରେ ୧୨୦୦ଟି ସିସିଟିଭି କ୍ୟାମେରା ସହ ୧୦୦ଟି ଏଆଇ କ୍ୟାମେରା ଲଗାଯାଇଛି ।

Related Articles

Back to top button