
ଶେଷ ହୋଇଛି ସର୍ବଦଳୀୟ ବୈଠକ। ବିଧାନସଭାର ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି। ତେବେ ଅନ୍ୟପଟେ, ବାତ୍ୟା ଓ ବନ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି ବିଜେଡି। ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦଳ ପକ୍ଷରୁ ଅଣାଯାଇଛି ମୋସନ। ସମସ୍ତ ବିଜିନେସ୍କୁ ବାତିଲ କରି ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଦାବି କରିଛି ବିଜେଡି। ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତି, କ୍ଷୟକ୍ଷତି ଏବଂ ଲୋକଙ୍କ ସମସ୍ୟାକୁ ଗୃହରେ ଉଠାଇବାକୁ ଦଳ ଚାହୁଁଛି।
କେବଳ ବାତ୍ୟା ଓ ବନ୍ୟା ନୁହେଁ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଭତ୍ତା ବଣ୍ଟନରେ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଅବ୍ୟବସ୍ଥା ଭଳି ପ୍ରସଙ୍ଗକୁ ମଧ୍ୟ ଗୃହରେ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ଏବେ ନଜର ରହିବ, ସର୍ବଦଳୀୟ ବୈଠକରେ ସହଯୋଗର ଆହ୍ୱାନ, ହେଲେ ବିଧାନସଭା ଭିତରେ ସରକାର ଓ ବିରୋଧୀଙ୍କ ମଧ୍ୟରେ କେତେ ତାଳମେଳ ରହୁଛି, ବିରୋଧୀଙ୍କ ଏହି ଦାବିକୁ ସରକାର କିଭଳି ଗ୍ରହଣ କରୁଛନ୍ତି ଏବଂ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗକୁ ନେଇ ହେଉଛି ତୀବ୍ର ଆଲୋଚନା।




