ଓଡ଼ିଶା

ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍

ବ୍ରିଜ୍ ତଳକୁ ଖସିଲା ସରକାରୀ ବସ୍ ! ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ସର୍ଗିଗଡ଼ ଲୁହା ବ୍ରିଜ୍ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ସରକାରୀ ବସ୍। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ ବସ୍‌ରେ ନଥିଲେ କୌଣସି ଯାତ୍ରୀ। ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅନେକ ଲୋକ।

ସୂଚନା ଅନୁସାରେ, ସକାଳୁ ପାଟମୁଣ୍ଡା ଅଞ୍ଚଳରୁ ଯାତ୍ରୀ ଆଣିବା ପାଇଁ କୋଇଡ଼ା ଅଭିମୁଖେ ଯାଉଥିଲା ଏହି ସରକାରୀ ବସ୍। କିନ୍ତୁ ବାଟରେ ସର୍ଗିଗଡ଼ ଲୁହା ବ୍ରିଜ୍ ନିକଟରେ ହଠାତ୍ ଭାରସାମ୍ୟ ହରାଇ ବସ୍‌ଟି ବ୍ରିଜ୍ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାର ଭୟାବହତା ଏତେ ଥିଲା ଯେ ବସ୍‌ଟି ବ୍ରିଜ୍ ତଳେ ପଡ଼ି ରହିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ସବୁଠାରୁ ବଡ଼ ଆଶ୍ୱସ୍ତିର କଥା ହେଉଛି, ଦୁର୍ଘଟଣା ସମୟରେ ବସ୍‌ରେ କୌଣସି ଯାତ୍ରୀ ନଥିଲେ।

କିଛି ସମୟ ପରେ ବସ୍‌ରେ ଯାତ୍ରୀ ଚଢ଼ିଥାନ୍ତେ। ତା’ ପୂର୍ବରୁ ଏହି ଦୁର୍ଘଟଣା ଘଟିଯାଇଥିଲା। ଯଦି ବସ୍‌ରେ ଯାତ୍ରୀ ଥାଆନ୍ତେ, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରିଥାନ୍ତା। ଅନ୍ୟପଟେ ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ମିଳିଛି। ତେବେ ବସ୍‌ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା? ଡ୍ରାଇଭର କାହିଁକି ଘଟଣାସ୍ଥଳରୁ ଚାଲିଗଲେ? ଏହାକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ।

Related Articles

Back to top button