ଜାତୀୟ

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ଧାମର ଦ୍ବାର

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ଧାମର ଦ୍ବାର । ଶୀତ ଋତୁ ପାଇଁ ବନ୍ଦ କରାଯାଇଛି ବୋଲି କୁହାଯାଉଛି । ଆଜି ସକାଳ ୮ଟା ୩୦ ମିନିଟ୍‌ରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ଦିରର ଦ୍ବାର ବନ୍ଦ କରାଯାଇଛି । ତଥାପି ମଧ୍ୟ କେଦାରନାଥଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବାବା କେଦାରନାଥଙ୍କ ଚଳମାନ ମୂର୍ତ୍ତି ପାଲିଙ୍କିକୁ ଉଖିମଠକୁ ନିଆଯାଇଥାଏ । ସେଠାରେ ଥିବା ଓଁକାରେଶ୍ୱର ମନ୍ଦିରକୁ ବାବା କେଦାରଙ୍କ ଶୀତକାଳୀନ ନିବାସ ଭାବେ ମାନ୍ୟତା ମିଳିଛି । ଆଗାମୀ ୬ ମାସ ଯାଏଁ ଓଁକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ପୂଜା ଓ ସମସ୍ତ ଧାର୍ମିକ ରୀତିନୀତି ସମ୍ପନ୍ନ ହେବ । ଶ୍ରଦ୍ଧାଳୁମାନେ ମଧ୍ୟ ଉଖୀମଠ ଯାଇ ବାବାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ।

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ରହିଛି ଉଖୀମଠ । ସମୁଦ୍ର ପତ୍ତନଠାରୁ ପ୍ରାୟ ୧,୩୧୧ ମିଟର ଉଚ୍ଚତାରେ ଅବସ୍ଥିତ ଏହି ସ୍ଥାନରେ ରହିଛି ପ୍ରସିଦ୍ଧ ଓଁକାରେଶ୍ୱର ମନ୍ଦିର । ରୁଦ୍ରପ୍ରୟାଗଠାରୁ ଏହାର ଦୂରତା ପ୍ରାୟ ୪୧ କିଲୋମିଟର ଏବଂ ଗୁପ୍ତକାଶୀଠାରୁ ପ୍ରାୟ ୧୩ କିଲୋମିଟର । ଶୀତଦିନେ କେଦାରନାଥ ଯିବା କଷ୍ଟକର ହୋଇପଡ଼ୁଥିବାରୁ ଭକ୍ତମାନେ ଉଖୀମଠରେ ବାବାଙ୍କ ଦର୍ଶନ କରିପାରିବେ । ନଭେମ୍ବର ୧୧ରେ ବାବାଙ୍କ ପାଲିଙ୍କି ରାମପୁରରେ ପହଞ୍ଚିବ । ୧୨ ତାରିଖରେ ଗୁପ୍ତକାଶୀର ବିଶ୍ୱନାଥ ମନ୍ଦିରରେ ରାତ୍ରି ବିଶ୍ରାମ ପରେ ୧୩ ନଭେମ୍ବରରେ ଉଖୀମଠର ଓଁକାରେଶ୍ୱର ମନ୍ଦିରରେ ପହଞ୍ଚିବ । ସେଠାରେ ବିଧିବିଧାନ ଅନୁସାରେ ବାବାଙ୍କ ପୂଜା ଓ ସ୍ଥାପନା କରାଯିବ । ପାଲିଙ୍କି ଯାତ୍ରାକୁ ଦେଖିବା ପାଇଁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି ।

Related Articles

Back to top button