ଓଡ଼ିଶା

ମାନବିକତା ଦେଖାଇଲା ଜଗବନ୍ଧୁ ଜରାଶ୍ରମ ! ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ କଲା ଉଦ୍ଧାର

ମଣିଷ ପାଇଁ ମଣିଷ ହିଁ ସବୁଠାରୁ ବଡ଼ ସାହାରା। ଯେତେବେଳେ ନିଜ ଲୋକ ପାଖ ଛାଡ଼ି ଦିଅନ୍ତି, ସେତେବେଳେ ଅଜଣା ମଣିଷଙ୍କ ସାହାଯ୍ୟ ହିଁ ନୂଆ ଜୀବନ ଦେଇଥାଏ। ଏମିତି ଏକ ମାନବିକତାର ଉଦାହରଣ ଦେଖାଇଛି ଢେଙ୍କାନାଳ ଜିଲ୍ଲା ଭୁବନର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗବନ୍ଧୁ ଜରାଶ୍ରମ। ଏକ ପରିତ୍ୟକ୍ତ ସ୍ଥାନରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାର ବ୍ୟବସ୍ଥା କରିଛି ଏହି ସଂସ୍ଥା।

ସୂଚନା ଅନୁସାରେ, ଭୁବନ ଏନ୍‌ଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ବାସିନ୍ଦା ୫୦ ବର୍ଷୀୟ ପାଣ୍ଡବ ବେହେରା ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ହାଟ ବଜାରରେ ବୁଲି ମାଗିଯାଚି ଖାଇବା ସହ ଏଠି ସେଠି ରାତି କାଟୁଥିଲେ ସେ। ହେଲେ ଗତ କିଛି ଦିନ ହେବ ତାଙ୍କ ଗୋଟିଏ ପାଦରେ ଗୁରୁତର ସଂକ୍ରମଣ ହୋଇଥିଲା। ପାଦଟି ପଚି ସଢ଼ି ଯାଇଥିବାରୁ ସେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅବସ୍ଥାରେ ଏକ ପରିତ୍ୟକ୍ତ ସ୍ଥାନରେ ପଡ଼ି ରହିଥିଲେ।ଏଭଳି ଅବସ୍ଥାରେ ତାଙ୍କ ସମ୍ପର୍କରେ ଖବର ପାଇଥିଲେ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ତଥା ଯୁବ ସମାଜସେବୀ ଆଶୁତୋଷ ମିଶ୍ର। ବିଳମ୍ବ ନକରି ନିଜ ଟିମ୍ ସହ ପହଞ୍ଚିଥିଲେ ଘଟଣାସ୍ଥଳରେ। ପରେ ପାଣ୍ଡବଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ତେବେ ଏହି ଉଦ୍ଧାର କାର୍ଯ୍ୟ ସମୟରେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଛି।ଉକ୍ତ ରୋଗୀକୁ ଭୁବନ ରୁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାଇଁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମେଡିକାଲ ଅଫିସର୍ ଡା ରମେଶ କୁମାର ସାହୁ ଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଡାକ୍ତର ସାହୁ କର୍ଣ୍ଣପାତ କରିନଥିଲେ। ଦୁଇ ତିନି ଘଣ୍ଟା ପରେ ଜିଲ୍ଲା ପ୍ରଶାସନ ଏ ଡି ଏମ୍ ରେଭେନ୍ୟୁ ରମେଶ ଚନ୍ଦ୍ର ସେଠୀ ଙ୍କ ହସ୍ତକ୍ଷେପ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାକୁ ନେଇ ସମାଜସେବୀ ଆଶୁତୋଷ ମିଶ୍ର ଏକ ପ୍ରେସ୍ ବିବୃତି ଜରିଆରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ସଦସ୍ୟ ଓ ସଦସ୍ୟାମାନଙ୍କୁ ଉପଯୁକ୍ତ ସେବା ତାଲିମ ପ୍ରଦାନ କରାଯାଉ।ଯାହାଦ୍ୱାରା ଅସହାୟ, ନିରାଶ୍ରୟ ଓ ଗୁରୁତର ରୋଗୀମାନେ ଠିକ୍ ସମୟରେ ଚିକିତ୍ସା ସହାୟତା ପାଇପାରିବେ।

Related Articles

Back to top button