Breaking Newsଅନ୍ତର୍ଜାତୀୟ

ଇରାନ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା

ଗୋଟିଏ ପଟେ ଇରାନ ସହ ଶାନ୍ତି ଆଲୋଚନାର ସଙ୍କେତ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନ୍ୟପଟେ ଇରାନର କେଶମ୍ ଦ୍ୱୀପରେ ଆମେରିକାର ଗୁପ୍ତ ସାମରିକ ଆକ୍ରମଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।କେବଳ ଆକ୍ରମଣ ନୁହେଁ, ଆମେରିକାର ଏକ ଗୁପ୍ତଚର ଡ୍ରୋନ୍‌କୁ ଅକ୍ଷତ ଅବସ୍ଥାରେ ଜବତ କରିଥିବା ମଧ୍ୟ ଦାବି କରିଛି ଇରାନ।

ଆମେରିକୀୟ ଖବରକାଗଜ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ରିପୋର୍ଟ ଅନୁସାରେ, ସୋମବାର ଇରାନର କେଶମ୍ ଦ୍ୱୀପରେ ଆମେରିକା ପକ୍ଷରୁ ସୀମିତ ସାମରିକ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି।କେବଳ ଏହି ଗୋଟିଏ ଆକ୍ରମଣ ନୁହେଁ, ଗତ କିଛି ସପ୍ତାହ ଧରି ଇରାନର ବିଭିନ୍ନ ସ୍ଥାନରେ ଆମେରିକା ଏଭଳି ଅନେକ ସୀମିତ ଆକ୍ରମଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।କୁହାଯାଉଛି, ଏହି ଆକ୍ରମଣଗୁଡ଼ିକୁ ଜାଣିଶୁଣି ସୀମିତ ଓ ଗୁପ୍ତ ରଖୁଛି ୱାଶିଂଟନ୍। ଯାହାଦ୍ୱାରା ଇରାନ ବିରୋଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ ହେବାର ସଙ୍କେତ ନମିଳେ।

ଏପଟେ ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ମଧ୍ୟ କେଶମ୍ ଦ୍ୱୀପରେ ଏକାଧିକ ବିସ୍ଫୋରଣ ହୋଇଥିବା ଖବର ପ୍ରକାଶ କରିଛି।ଏହି ଦ୍ୱୀପଟି ହର୍ମୁଜ୍ ପ୍ରଣାଳୀ ନିକଟରେ ଅବସ୍ଥିତ। ଯାହା ଆନ୍ତର୍ଜାତୀୟ ତୈଳ ପରିବହନ ଓ ସମୁଦ୍ର ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏଠାରେ କୌଣସି ସାମରିକ ଗତିବିଧି ହେଲେ ତାହାର ପ୍ରଭାବ କେବଳ ଇରାନ ଓ ଆମେରିକା ମଧ୍ୟରେ ସୀମିତ ରହିବ ନାହିଁ। ବିଶ୍ୱ ତୈଳ ବଜାରଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସମୁଦ୍ରପଥ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

ସବୁଠାରୁ ରୋଚକ କଥା ହେଉଛି, ଏହି ଆକ୍ରମଣ ଖବର ଆସିବାର କିଛି ସମୟ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଆଲୋଚନା ନେଇ ସକାରାତ୍ମକ ବୟାନ ଦେଇଥିଲେ।ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଟ୍ରମ୍ପ ଲେଖିଥିଲେ ଯେ, ତେଲ ଦର ବ୍ୟାରେଲ୍ ପିଛା ପ୍ରାୟ ୧୦ ଡଲାର ହ୍ରାସ ପାଇଛି।ଏହାକୁ ଏକ ବଡ଼ ହ୍ରାସ ବୋଲି ଦର୍ଶାଇବା ସହ ଇରାନ ଖୁବ୍ ଶୀଘ୍ର ଚୁକ୍ତି କରିବାକୁ ଚାହୁଁଥିବା ଟ୍ରମ୍ପ ଦାବି କରିଥିଲେ।

ସେ ଆହୁରି ଲେଖିଥିଲେ, ଇରାନ ଯଥାଶୀଘ୍ର ଏକ ସମାଧାନ ଚାହୁଁଛି। ଏହା ହୋଇପାରେ!ଏପରିକି ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ ହେବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଟ୍ରମ୍ପ ‘ନା’ ବୋଲି ଉତ୍ତର ଦେଇଥିଲେ।କିନ୍ତୁ ଗୋଟିଏ ପଟେ ଶାନ୍ତିର କଥା, ଅନ୍ୟପଟେ ଗୁପ୍ତ ସାମରିକ ଆକ୍ରମଣର ଖବର। ଯାହା ଆମେରିକାର ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Related Articles

Back to top button