ଜାତୀୟମନୋରଞ୍ଜନ

ବଲିଉଡ୍‌କୁ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଟାର୍ଗେଟ୍ ! ତୁଷାର କପୁରଙ୍କୁ ୫ କୋଟି ଟଙ୍କା ଦାବି ସହ ହତ୍ୟା ଧମକ!

ବଲିଉଡ୍‌ରେ ଏବେ ଭୟର ବାତାବରଣ! ଜଣକ ପରେ ଜଣେ ଅଭିନେତାଙ୍କୁ ମିଳୁଛି ହତ୍ୟା ଧମକ। ଟାଇଗର ଶ୍ରଫ୍‌ଙ୍କ ପରେ ଏବେ ଅଭିନେତା ତୁଷାର କପୁରଙ୍କୁ ଧମକ!କେବଳ ଧମକ ନୁହେଁ, ଜୀବନ ବଞ୍ଚାଇବାକୁ ଦେବାକୁ ପଡ଼ିବ ୫ କୋଟି ଟଙ୍କା! ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପରିଚୟ ଦେଇ ଫୋନ୍‌ରେ ଏଭଳି ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ତୁଷାର କପୁରଙ୍କୁ ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ହ୍ୟାରି ବକ୍ସର ବୋଲି ପରିଚୟ ଦେଇଥିଲେ। ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହ ଜଡ଼ିତ ବୋଲି ଦାବି କରିବା ସହ ୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଘଟଣାକୁ ହାଲୁକା ଭାବେ ନନେଇ ତୁରନ୍ତ ମୁମ୍ବାଇ ପୁଲିସକୁ ଜଣାଇଥିଲେ ତୁଷାର କପୁର। ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ। ତେବେ ତଦନ୍ତ ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ। ଧମକପୂର୍ଣ୍ଣ ଫୋନ୍‌ର ଅଡିଓ ରେକର୍ଡିଂକୁ ଯାଞ୍ଚ କରିଥିଲା ପୁଲିସର ଟେକ୍ନିକାଲ୍‌ ଟିମ୍‌। ଏହି ଅଡିଓକୁ ହ୍ୟାରି ବକ୍ସରଙ୍କ ଉପଲବ୍ଧ ଅଫିସିଆଲ୍‌ ଭଏସ୍‌ ସାମ୍ପଲ୍‌ ସହ ମେଳ କରାଯାଇଥିଲା। କିନ୍ତୁ ଉଭୟ ସ୍ୱର ମଧ୍ୟରେ କୌଣସି ସମାନତା ମିଳିନଥିବା ଜଣାପଡ଼ିଛି।

ଏଥିରୁ ପୁଲିସ ସନ୍ଦେହ କରୁଛି ଯେ, କେହି ହ୍ୟାରି ବକ୍ସରଙ୍କ ନାଁ ବ୍ୟବହାର କରି ତୁଷାର କପୁରଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥାଇପାରେ। ସବୁଠାରୁ ବଡ଼ କଥା ହେଉଛି, ଏହି ଘଟଣାରେ ଏଯାଏଁ କୌଣସି ଏଫ୍‌ଆଇଆର୍‌ ରୁଜୁ ହୋଇନଥିବା ସୂଚନା ମିଳିଛି। ଅଭିଯୋଗକୁ ଆଧାର କରି ଆଣ୍ଟି ଏକ୍ସଟର୍ସନ ସେଲ୍‌ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛନ୍ତି। ଫୋନ୍‌ କରିଥିବା ବ୍ୟକ୍ତି କିଏ? କେଉଁଠୁ ଆସିଥିଲା ଏହି ଧମକପୂର୍ଣ୍ଣ କଲ୍‌? ଏହା ପଛରେ ପ୍ରକୃତରେ କାହାର ହାତ ରହିଛି? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

Related Articles

Back to top button