ଲ୍ୟାଣ୍ଡିଂ ବେଳେ ପିଟି ହେଲା ଦୁଇ ହେଲିକପ୍ଟର

ମୁହାଁମୁହିଁ ପିଟି ହେଲା ଦୁଇ ହେଲିକପ୍ଟର । ଲ୍ୟାଣ୍ଡିଂ ବେଳେ ଭୟଙ୍କର ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଏଭରେଷ୍ଟ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଫେରିଚେ ହେଲିପ୍ୟାଡ୍ରେ ଅବତରଣ କରିବା ସମୟରେ ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି ଦ୍ୱାରା ପରିଚାଳିତ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିଲେ ।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତ ବିଦେଶୀ ପର୍ଯ୍ୟଟକ ଏବଂ ଅନ୍ୟ ଆହତଙ୍କ ପରିଚୟ ଏଯାଏଁ ସାର୍ବଜନୀନ କରାଯାଇନାହିଁ । ଖବର ପାଇ ଏକ ସିମ୍ରିକ୍ ଏୟାର ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଉଛି ।
ସୂଚନାଯୋଗ୍ୟ, ସମୁଦ୍ର ପତ୍ତନଠାରୁ ପ୍ରାୟ ୪ ହଜାର ୨୪୦ ମିଟର ଉଚ୍ଚତାରେ ରହିଛି ଫେରିଚେ । ଏଭରେଷ୍ଟ ଅଞ୍ଚଳରେ ପର୍ଯ୍ୟଟକଙ୍କ ଯାତାୟାତ ଓ ଉଦ୍ଧାରକାରୀ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ହେଲିପ୍ୟାଡ୍ । ତେବେ ଏତେ ଉଚ୍ଚତାରେ ଦୁଇଟି ହେଲିକପ୍ଟର କିଭଳି ଧକ୍କା ହେଲେ, ତାହାର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଓ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି ।




