ଓଡ଼ିଶାବନ୍ୟା

ଅର୍ଣ୍ଣବର ତାଣ୍ଡବରେ ଉଜୁଡ଼ିଲା ସଂସାର ! ଗଜପତି-ଗଞ୍ଜାମରେ ବନ୍ୟାର କରାଳ ରୂପ

କାହା ମୁଣ୍ଡରୁ ଛାତ ଛଡ଼ାଇ ନେଇଛି ବନ୍ୟା, ତ ଆଉ କାହା ମୁହଁରୁ ଛଡ଼ାଇ ନେଇଛି ଦାନା! ଯେଉଁ ଘରେ ଦିନେ ହସଖୁସିର ସଂସାର ଚାଲୁଥିଲା, ଆଜି ସେହି ଘର ଭିତରେ ଲହଡ଼ି ମାରୁଛି ବନ୍ୟାପାଣି। ଯେଉଁ ଚାଷଜମିରେ ଚାଷୀ ସୁନାର ଫସଲ ଫଳାଇବାକୁ ସ୍ୱପ୍ନ ଦେଖିଥିଲା, ଆଜି ସେହି ଜମିରେ ଭରି ରହିଛି ପାଣି। ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନର ଲଗାଣ ବର୍ଷା ଗଜପତି ଓ ଗଞ୍ଜାମରେ ରଚିଛି ବନ୍ୟାର ବିଭୀଷିକା।

ଘର ଭିତରେ ପାଣି, ବାହାରେ ବି ପାଣି। ନା ରହିବାକୁ ଜାଗା ଅଛି, ନା ଘରୁ ବାହାରିବାକୁ ରାସ୍ତା। ସୋରଡ଼ା, ଆସିକା ଓ ଧରାକୋଟର ଅନେକ ଅଞ୍ଚଳ ଏବେ ଜଳମଗ୍ନ। କେଉଁଠି ରାସ୍ତା ଧୋଇ ହୋଇଯାଇଛି, ତ ଆଉ କେଉଁଠି ବ୍ରିଜ୍ ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସବୁଠୁ ହୃଦୟବିଦାରକ ଚିତ୍ର ହେଉଛି ଗରିବ ପରିବାର ଓ ଚାଷୀଙ୍କ ଦୁର୍ଦ୍ଦଶା। ଯେଉଁ ଚାଷୀ ଦିନରାତି ଏକ କରି ମାଟିରେ ସୁନାର ଫସଲ ଫଳାଇବାକୁ ସ୍ୱପ୍ନ ଦେଖିଥିଲା, ଆଜି ସେହି ଫସଲ ବନ୍ୟାପାଣି ତଳେ ଲୁଚିଯାଇଛି।

ବର୍ଷକର ପରିଶ୍ରମ ଆଖି ଆଗରେ ନଷ୍ଟ ହେଉଥିବା ଦେଖି ଚାଷୀର ଆଖିରୁ ଲୁହ ଶୁଖୁନି। କାହାର ଘରେ ରନ୍ଧା ହୋଇପାରୁନି ଖାଦ୍ୟ, ତ କାହା ପାଖରେ ନାହିଁ ସୁରକ୍ଷିତ ରହିବାକୁ ଜାଗା। ଆସନ୍ତାକାଲି କେମିତି ଚଳିବେ, ପିଲାଙ୍କ ମୁହଁରେ କେମିତି ଆହାର ଦେବେ, ସେହି ଚିନ୍ତାରେ କଟୁଛି ବିପନ୍ନଙ୍କ ପ୍ରତିଟି ମୁହୂର୍ତ୍ତ। ପ୍ରକୃତିର ଏହି ନିଷ୍ଠୁର ପ୍ରହାର ଆଗରେ ଆଜି ଅସହାୟ ମଣିଷ। ଯେଉଁ ଘରକୁ ନିଜର ସବୁଠୁ ସୁରକ୍ଷିତ ଆଶ୍ରୟ ଭାବିଥିଲା, ଆଜି ସେହି ଘର ହିଁ ପାଣିରେ ବୁଡ଼ି ରହିଛି।ତେବେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଯେଉଁମାନେ ସବୁକିଛି ହରାଇଛନ୍ତି, ସେମାନଙ୍କ ଜୀବନ ପୁଣି କେବେ ସ୍ୱାଭାବିକ ହେବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

Related Articles

Back to top button