ଜାତୀୟ

କ୍ୟାସରେ ମିଳିବନି ମଦ । କରିବାକୁ ପଡ଼ିବ ଡିଜିଟାଲ୍ ପେମେଣ୍ଟ୍

ନଭେମ୍ବର ୧ରୁ ବଦଳିବ ଅନେକ ନିୟମ । ଏହାର ସିଧାସଳଖ ପ୍ରଭାବ ପଡ଼େ ସାଧାରଣ ଲୋକଙ୍କ ପକେଟ୍ ଉପରେ। ଏବେ ମଦ କିଣୁଥିବା ଗ୍ରାହକଙ୍କ ପାଇଁ ଆସିବାକୁ ଯାଉଛି ଏକ ନୂଆ ପେମେଣ୍ଟ୍ ନିୟମ। ତାମିଲନାଡୁରେ ନଭେମ୍ବର ୧, ୨୦୨୬ରୁ ଏହି ନିୟମ ଲାଗୁ କରିବାକୁ ଯାଉଛି ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ବା TASMAC। ଏହି ନିୟମ ଅନୁସାରେ, ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ମଦ କିଣିଲେ ଗ୍ରାହକଙ୍କୁ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍ କରିବାକୁ ପଡ଼ିବ।

ଏଥିପାଇଁ UPI, ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡର ବିକଳ୍ପ ରହିବ। ତେବେ ୧୦୦୦ ଟଙ୍କା ପର୍ଯ୍ୟନ୍ତ କିଣାକିଣି ପାଇଁ ଗ୍ରାହକ ନଗଦ ଟଙ୍କା କିମ୍ବା ଡିଜିଟାଲ୍ ପେମେଣ୍ଟ୍, ଉଭୟ ମଧ୍ୟରୁ ଯେକୌଣସି ବିକଳ୍ପ ବାଛିପାରିବେ। TASMACର ମଦ ଦୋକାନଗୁଡ଼ିକରେ ନଗଦ କାରବାର କମାଇବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ। ଡିଜିଟାଲ୍ ପେମେଣ୍ଟ୍ ଦ୍ୱାରା ପ୍ରତ୍ୟେକ କାରବାରର ରେକର୍ଡ ରହିବ। ଫଳରେ ଟଙ୍କା ନେଣଦେଣରେ ସ୍ୱଚ୍ଛତା ଆସିବା ସହ ହିସାବକିତାବରେ ଅନିୟମିତତା କମିବ ବୋଲି ଆଶା କରାଯାଉଛି।

ଏହା ସହ ମଦର ଧାର୍ଯ୍ୟ ମୂଲ୍ୟ ବା MRPଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଉପରେ ମଧ୍ୟ ରୋକ୍ ଲଗାଇବାକୁ ଉଦ୍ୟମ କରାଯାଉଛି।ଡିଜିଟାଲ୍ ପେମେଣ୍ଟ୍ ବାଧ୍ୟତାମୂଳକ ହେଲେ କାରବାରର ରେକର୍ଡ ରହିବା ସହ ଗ୍ରାହକଙ୍କ ପାଇଁ ପେମେଣ୍ଟ୍‌ର ପ୍ରମାଣ ରଖିବା ସହଜ ହେବ। ଏଥିସହ ପ୍ରତ୍ୟେକ କିଣାକିଣି ପାଇଁ ବିଲ୍ ଦେବା ଓ ଅଧିକାରିକ POS ମେସିନ୍ ମାଧ୍ୟମରେ ପେମେଣ୍ଟ୍ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇପାରେ।

Related Articles

Back to top button