ଐତିହ୍ୟ ଓ ସଂସ୍କୃତିଓଡ଼ିଶା

କାର୍ତ୍ତିକ ମାସ ଆରମ୍ଭ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଧର୍ମ ଓ ଭକ୍ତିର ମାସ କାର୍ତ୍ତିକ। ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ହବିଷ ବ୍ରତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ହବିଷ ବ୍ରତ ପାଳନ ପାଇଁ ଦୂରଦୂରାନ୍ତରୁ ପୁରୀରେ ପହଞ୍ଚିଛନ୍ତି ହବିଷ୍ୟାଳୀ ମାଆମାନେ। ହବିଷ୍ୟାଳୀଙ୍କ ରହଣି, ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ। ପ୍ରାୟ ୨୪୦୦ ହବିଷ୍ୟାଳୀଙ୍କୁ ସ୍ୱତନ୍ତ୍ର ଶିବିରରେ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ଚୟନ କରାଯାଇଛି।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ହବିଷ୍ୟାଳୀ ମାଆମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି। ସେହିପରି ତୀର୍ଥ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ଶିବିରରେ ମାଆମାନଙ୍କ ରହଣିଠାରୁ ଆରମ୍ଭ କରି ଆବଶ୍ୟକୀୟ ସହାୟତା ଓ ସୁରକ୍ଷା ପର୍ଯ୍ୟନ୍ତ ସବୁ ଦିଗ ଉପରେ ନଜର ରଖିଛି ପ୍ରଶାସନ।ଏହି ପବିତ୍ର ମାସରେ ହବିଷ୍ୟାଳୀ ମାଆମାନଙ୍କ ସେବାକୁ ଏକ ପବିତ୍ର କର୍ତ୍ତବ୍ୟ ଭାବେ ଗ୍ରହଣ କରି ସେମାନଙ୍କୁ ସହଯୋଗ କରିବାକୁ ସ୍ୱେଚ୍ଛାସେବୀଙ୍କୁ ପରାମର୍ଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା।

ଅନ୍ୟପଟେ ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଶ୍ରୀକ୍ଷେତ୍ରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ଓ ହବିଷ୍ୟାଳୀଙ୍କ ସୁରକ୍ଷାକୁ ନେଇ ପୋଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଆଜିଠାରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ହବିଷ ବ୍ରତ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ବ୍ରତ ପାଳନ କରିବେ ହବିଷ୍ୟାଳୀ ମାଆମାନେ।

 

Related Articles

Back to top button