OTTରେ ଚାଲିବନି ମନଇଚ୍ଛା କଣ୍ଟେଣ୍ଟ!

OTT ପ୍ଲାଟଫର୍ମରେ ଆଉ ଚାଲିବନି ମନଇଚ୍ଛା କଣ୍ଟେଣ୍ଟ! ଅଶ୍ଳୀଳତା ଓ ଅଶାଳୀନ ଦୃଶ୍ୟ ଉପରେ ଲାଗିପାରେ ଲଗାମ। ଡିଜିଟାଲ୍ କଣ୍ଟେଣ୍ଟକୁ ନେଇ କଡ଼ା ନିୟମ ଆଣିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର। ସୂଚନା ଅନୁସାରେ, ଗତ ୬ ମାସ ଧରି OTT କଣ୍ଟେଣ୍ଟକୁ ନେଇ ପ୍ରତି ମାସରେ ହଜାରେରୁ ଅଧିକ ଅଭିଯୋଗ ଓ ଆପତ୍ତି ମିଳୁଛି। ବିଶେଷ କରି ଅଶ୍ଳୀଳତା, ଅଶାଳୀନତା ଏବଂ ଆପତ୍ତିଜନକ ଦୃଶ୍ୟକୁ ନେଇ ଆସୁଛି ଅଭିଯୋଗ। ଏହାକୁ ଗୁରୁତ୍ୱର ସହ ନେଇ ଏବେକାର ଆଇନରେ ସଂଶୋଧନ କରାଯିବ ନା ଏଥିପାଇଁ ସ୍ୱତନ୍ତ୍ର ଆଇନ ଅଣାଯିବ, ସେନେଇ ଚାଲିଛି ବିଚାରବିମର୍ଶ।
ସିନେମା ହଲ୍ରେ ଫିଲ୍ମ ରିଲିଜ୍ କରିବା ପୂର୍ବରୁ ସେନ୍ସର ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ। କିନ୍ତୁ OTT ପ୍ଲାଟଫର୍ମରେ ପ୍ରସାରିତ କଣ୍ଟେଣ୍ଟ ପାଇଁ ସେହିଭଳି ପୂର୍ବ ପ୍ରମାଣପତ୍ର ବ୍ୟବସ୍ଥା ନାହିଁ। ବର୍ତ୍ତମାନ OTT ପ୍ଲାଟଫର୍ମଗୁଡ଼ିକ ସୂଚନା ପ୍ରଯୁକ୍ତି ଆଇନ ଏବଂ ୨୦୨୧ର ନିୟମ ଅନୁସାରେ ପରିଚାଳିତ ହେଉଛନ୍ତି।ତେଣୁ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ଆହୁରି ପ୍ରଭାବଶାଳୀ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା କୁହାଯାଉଛି।ପ୍ରସ୍ତାବିତ ବ୍ୟବସ୍ଥାରେ ଅଭିଯୋଗର ସମାଧାନ ପାଇଁ ଏକାଧିକ ସ୍ତର ରହିପାରେ। ପ୍ରଥମେ OTT ପ୍ଲାଟଫର୍ମ ନିଜେ ଅଭିଯୋଗର ସମାଧାନ କରିବ। ସେଠାରେ ସମାଧାନ ନହେଲେ ଅଭିଯୋଗକୁ ପରବର୍ତ୍ତୀ ସ୍ତରକୁ ନିଆଯିବ। ଆବଶ୍ୟକ ପଡ଼ିଲେ ଶେଷ ପର୍ଯ୍ୟାୟରେ ସରକାର ହସ୍ତକ୍ଷେପ କରିପାରନ୍ତି।
ବର୍ତ୍ତମାନର ନିୟମ ଅନୁସାରେ, OTT କଣ୍ଟେଣ୍ଟକୁ U, U/A ୭+, U/A ୧୩+, U/A ୧୬+ ଏବଂ A ଭଳି ପାଞ୍ଚଟି ବୟସଭିତ୍ତିକ ବର୍ଗରେ ବିଭକ୍ତ କରିବାକୁ ପଡ଼େ। ଏହା ସହିତ ବୟସ ଅନୁଯାୟୀ ସତର୍କ ସୂଚନା, ପେରେଣ୍ଟାଲ୍ ଲକ୍ ଏବଂ ବୟସ ଯାଞ୍ଚ ଭଳି ବ୍ୟବସ୍ଥା ମଧ୍ୟ ରହିଛି।OTT ଓ ଡିଜିଟାଲ୍ ପ୍ରସାରଣ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ୨୦୨୩ରେ ପ୍ରସ୍ତାବିତ ବ୍ରଡକାଷ୍ଟିଂ ସର୍ଭିସେସ୍ ରେଗୁଲେସନ୍ ବିଲ୍ରେ ମଧ୍ୟ ବିଭିନ୍ନ ବ୍ୟବସ୍ଥା ରଖାଯାଇଥିଲା। ତେବେ ଏହା ଏକ ସମ୍ପୂର୍ଣ୍ଣ ନୂଆ ଆଇନ ଭାବେ ଲାଗୁ ହୋଇନାହିଁ। ଅନ୍ୟପଟେ, ଅନଲାଇନ୍ ମିଡିଆ ଓ OTT କ୍ଷେତ୍ରର ନିୟନ୍ତ୍ରଣକୁ ନେଇ ମଧ୍ୟ ବିଭିନ୍ନ ସ୍ତରରେ ଚିନ୍ତା ପ୍ରକାଶ ପାଇଛି।ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ—OTT କଣ୍ଟେଣ୍ଟ ପାଇଁ ଆସିବ କି ସ୍ୱତନ୍ତ୍ର ଆଇନ? ନା ବର୍ତ୍ତମାନର ନିୟମକୁ ଆହୁରି କଡ଼ା କରିବେ କେନ୍ଦ୍ର ସରକାର?



