ଗିରଫ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ, ସହଯୋଗୀ ନୀରଜ ଫରିଦପୁରିଆ ଗିରଫ

ଭାରତରେ ଅପରାଧ ଘଟାଇ ବିଦେଶରେ ଲୁଚି ରହିଥିବା ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ପଦକ୍ଷେପ। ଆମେରିକାରେ ଗିରଫ ହୋଇଛି ହରିୟାଣାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ। ତା’ର ପ୍ରକୃତ ନାମ ହିମାଂଶୁ ରିଟୋଲିଆ। ହରିୟାଣାର ରୋହତକ ଜିଲ୍ଲାର ରିତୋଉଲି ଗାଁରେ ତା’ର ଘର।ହିମାଂଶୁ ବିରୋଧରେ ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଏକାଧିକ ଅପରାଧିକ ମାମଲା ରହିଛି। ହତ୍ୟା, ଅପହରଣ ଓ ଦାଦାବଟି ଆଦାୟ ଭଳି ସଙ୍ଗିନ ଅପରାଧରେ ତା’ର ସମ୍ପୃକ୍ତି ନେଇ ଅଭିଯୋଗ ରହିଛି। ତାକୁ ଧରିବା ପାଇଁ ଭାରତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ସମେତ ହରିୟାଣା ଓ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିଲେ। ତା’ ବିରୋଧରେ ଇଣ୍ଟରପୋଲ୍ର ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଥିବା କୁହାଯାଉଛି।
ପୋଲିସ ତଦନ୍ତ ଅନୁଯାୟୀ, ହିମାଂଶୁ ଜାଲ୍ କାଗଜପତ୍ର ବ୍ୟବହାର କରି ନକଲି ପାସପୋର୍ଟ ଜରିଆରେ ଭାରତ ଛାଡ଼ିଥିବା ଅଭିଯୋଗ ରହିଛି। ସେ ପର୍ତ୍ତୁଗାଲରେ ରହି ନିଜ ଅପରାଧିକ ନେଟୱର୍କ ପରିଚାଳନା କରୁଥିବା ନେଇ ମଧ୍ୟ ରିପୋର୍ଟ ହୋଇଥିଲା।ହିମାଂଶୁକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରମୁଖ ଶତ୍ରୁ ଭାବେ ଦେଖାଯାଏ। ଏହା ସହିତ ନୀରଜ ବାୱାନା ଓ ନବୀନ ବାଲି ଗ୍ୟାଙ୍ଗ ସହ ତା’ର ନେଟୱର୍କର ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ହୋଇଥିବା ଗୁଳିକାଣ୍ଡ ପରେ ମଧ୍ୟ ହିମାଂଶୁ ଗ୍ୟାଙ୍ଗର ନାଁ ଚର୍ଚ୍ଚାକୁ ଆସିଥିଲା। ତା’ର ସହଯୋଗୀମାନେ ଏହି ଘଟଣାର ଦାୟିତ୍ୱ ନେଇଥିବା ଦାବି କରିଥିଲେ।ଅନ୍ୟପଟେ, ହିମାଂଶୁ ସହ ନୀରଜ ଫରିଦପୁରିଆ ମଧ୍ୟ ଆମେରିକାରେ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ନୀରଜ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ନେଇ ରିପୋର୍ଟ ରହିଛି।
ମାତ୍ର ୧୭ ବର୍ଷ ବୟସରୁ ହିମାଂଶୁ ଅପରାଧ ଜଗତରେ ପାଦ ଥାପିଥିବା କୁହାଯାଏ। ପୋଲିସ ରେକର୍ଡ ଅନୁସାରେ, ୨୦୨୦ ମସିହାରେ ଏକ ବିବାଦକୁ କେନ୍ଦ୍ର କରି ନିଜ ଗାଁର ଜଣେ ବ୍ୟକ୍ତିଙ୍କୁ ଗୁଳି କରିବା ଅଭିଯୋଗରେ ତା’ର ନାଁ ପ୍ରଥମ ହତ୍ୟା ମାମଲାରେ ସାମ୍ନାକୁ ଆସିଥିଲା।ସେତେବେଳେ ନାବାଳକ ଥିବାରୁ ତାକୁ ଜୁଭେନାଇଲ୍ ହୋମ୍କୁ ପଠାଯାଇଥିଲା। କିନ୍ତୁ କିଛି ସପ୍ତାହ ପରେ ସେ ସେଠାରୁ ଫେରାର ହୋଇଯାଇଥିବା ରିପୋର୍ଟ ରହିଛି। ପରବର୍ତ୍ତୀ ସମୟରେ ଦିଲ୍ଲୀ-ଏନସିଆର, ହରିୟାଣା ଓ ପଞ୍ଜାବରେ ତା’ର ଅପରାଧିକ ନେଟୱର୍କ ବିସ୍ତାର ହୋଇଥିବା ଅଭିଯୋଗ ହୋଇଛି।




