ଭୟଙ୍କର ଭୂମିକମ୍ପ! ମାଟିତଳେ ଅନେକ ଜୀବନ

ତିବ୍ଦତରେ ଭୟଙ୍କର ଭୂମିକମ୍ପ! ୭.୦ ତୀବ୍ରତାର ଭୂକମ୍ପ ଝଟକାରେ ଥରି ଉଠିଲା ଉତ୍ତର ତିବ୍ଦତ। ଭୂମିକମ୍ପରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୨ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଏବେ ବି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।ଚାଇନା ଆର୍ଥକ୍ୱେକ୍ ନେଟୱାର୍କସ୍ ସେଣ୍ଟରର ତଥ୍ୟ ଅନୁଯାୟୀ, ଉତ୍ତର ତିବ୍ଦତର ନାଗକୁ କାଉଣ୍ଟିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିଲା ଏହାର କେନ୍ଦ୍ରସ୍ଥଳ।
ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ୩୩୯ଟି ଘର ଭୁଶୁଡ଼ି ମାଟିରେ ମିଶିଯାଇଛି। ଭଗ୍ନାବଶେଷ ତଳୁ ୩୨ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି।ଅନ୍ୟପଟେ, ନାଗକୁ ସହରରେ ଚୀନ୍ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ ଆଉ କେତେ ଜଣ ଫସି ରହିଛନ୍ତି, ତାହା ଜାଣିବା ପାଇଁ ଚାଲିଛି ଜୋରଦାର ଉଦ୍ୟମ।
ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳରେ କିଛି ସପ୍ତାହ ପୂର୍ବରୁ ଆକସ୍ମିକ ବନ୍ୟା ଆସିଥିଲା। ଏବେ ପୁଣି ଭୂକମ୍ପର ତାଣ୍ଡବ। ଲଗାତାର ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ହିମାଳୟ ଅଞ୍ଚଳରେ ବଢ଼ିଛି ଚିନ୍ତା।




