ଜାତୀୟ

ସମୁଦ୍ରରେ ଗର୍ଜିବ ରାଫେଲ୍-M!

ସମୁଦ୍ର ଉପରେ ଶତ୍ରୁର ଆକ୍ରମଣକୁ ମାତ୍ ଦେବାକୁ ଭାରତର ନୂଆ ପ୍ରସ୍ତୁତି। ଆକାଶରେ ନିଜର ଦବଦବା ଦେଖାଇବା ପରେ ଏବେ ସମୁଦ୍ରରେ ନିଜର ଶକ୍ତି ବଢ଼ାଇବାକୁ ଯାଉଛି ଭାରତୀୟ ନୌସେନା।ଏଥିପାଇଁ ଭାରତ ଆଣୁଛି ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲ୍-M। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତରୁ ଏହି ବିମାନର ସଫଳ ଉଡ଼ାଣ ଓ ଅବତରଣ ପାଇଁ ଚାଲିଛି ବୈଷୟିକ ପରୀକ୍ଷଣ। ଗୋଆର ଆଇଏନଏସ୍ ହଂସାରେ ଏହାର କ୍ଷମତା ଓ ପରିଚାଳନା ସମ୍ପର୍କିତ ପରୀକ୍ଷା ଉପରେ ରହିଛି ଗୁରୁତ୍ୱ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ପ୍ରାୟ ୬୩ ହଜାର କୋଟି ଟଙ୍କାର ଚୁକ୍ତି ଅନୁସାରେ ଭାରତୀୟ ନୌସେନାକୁ ମିଳିବ ମୋଟ ୨୬ଟି ରାଫେଲ୍-M ଯୁଦ୍ଧବିମାନ।ଯୋଜନା ଅନୁସାରେ, ୨୦୨୮ ଶେଷ ଭାଗରୁ ୨୦୨୯ ଆରମ୍ଭ ମଧ୍ୟରେ ପ୍ରଥମ ବିମାନଗୁଡ଼ିକ ଭାରତରେ ପହଞ୍ଚିବାର ଆଶା ରହିଛି। ଏହାପରେ ପର୍ଯ୍ୟାୟକ୍ରମେ ବିମାନଗୁଡ଼ିକୁ ନୌସେନାରେ ସାମିଲ କରିବାର ଯୋଜନା ରହିଛି।ଏହି ନୂଆ ଯୁଦ୍ଧବିମାନଗୁଡ଼ିକ ବର୍ତ୍ତମାନ ନୌସେନାରେ ବ୍ୟବହୃତ MiG-29K ଯୁଦ୍ଧବିମାନର ଭୂମିକାକୁ ଆଗକୁ ନେବା ସହ ସାମୁଦ୍ରିକ ଯୁଦ୍ଧ କ୍ଷମତାକୁ ଆହୁରି ମଜବୁତ କରିବ।

ଏହି ୨୬ଟି ବିମାନ ମଧ୍ୟରୁ ୨୨ଟି ସିଙ୍ଗଲ୍-ସିଟର୍ ଯୁଦ୍ଧବିମାନ ଏବଂ ୪ଟି ଟ୍ୱିନ୍-ସିଟର୍ ବିମାନ ରହିବ। ସିଙ୍ଗଲ୍-ସିଟର୍ ବିମାନଗୁଡ଼ିକୁ ଯୁଦ୍ଧ ଅଭିଯାନରେ ବ୍ୟବହାର କରାଯିବା ସହ ଟ୍ୱିନ୍-ସିଟର୍ ବିମାନଗୁଡ଼ିକ ପ୍ରଶିକ୍ଷଣ ଓ ପରିଚାଳନା ଅଭ୍ୟାସରେ ସହାୟକ ହେବ।ରାଫେଲ୍-Mର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଅସ୍ତ୍ରଶସ୍ତ୍ର ଓ ଆଧୁନିକ ଯୁଦ୍ଧ ପ୍ରଯୁକ୍ତି। ଏଥିରେ ଏକ୍ସୋସେଟ୍ AM39 ଆଣ୍ଟି-ସିପ୍ ମିସାଇଲ୍ ଭଳି ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ଏବଂ ମେଟିଅର୍ ଭଳି ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ବ୍ୟବହାର କରିବାର କ୍ଷମତା ରହିଛି।

ଅର୍ଥାତ୍, ଶତ୍ରୁପକ୍ଷର ଯୁଦ୍ଧବିମାନକୁ ମୁକାବିଲା କରିବାଠାରୁ ଆରମ୍ଭ କରି ସମୁଦ୍ରରେ ଶତ୍ରୁ ଯୁଦ୍ଧଜାହାଜକୁ ଟାର୍ଗେଟ୍ କରିବା ପର୍ଯ୍ୟନ୍ତ, ରାଫେଲ୍-M ଭାରତୀୟ ନୌସେନାର ରଣନୈତିକ ବିକଳ୍ପକୁ ବଢ଼ାଇବ।ଭାରତ ମହାସାଗରରେ ବଢ଼ୁଥିବା ରଣନୈତିକ ଆହ୍ୱାନ ମଧ୍ୟରେ ରାଫେଲ୍-M ଭାରତୀୟ ନୌସେନା ପାଇଁ ହୋଇପାରେ ଏକ ବଡ଼ ଶକ୍ତି। ବିମାନବାହୀ ଯୁଦ୍ଧପୋତରୁ ଉଡ଼ାଣ, ଆଧୁନିକ ରାଡାର୍ ଓ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସମନ୍ୱୟ ଭାରତର ସାମୁଦ୍ରିକ ସୁରକ୍ଷାକୁ ଦେବ ନୂଆ ଦିଗ।

ତେବେ ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ଭାରତୀୟ ନୌସେନାରେ ସାମିଲ ହେବା ପରେ ସମୁଦ୍ରରେ ଭାରତର ଶକ୍ତି କେତେ ବଢ଼ିବ, ତାହା ଉପରେ ରହିବ ସମସ୍ତଙ୍କ ନଜର।

Related Articles

Back to top button