କାହିଁକି ଟାର୍ଗେଟରେ ବଲିଉଡ୍ ଷ୍ଟାର? ଚିନ୍ତାରେ ବଲିଉଡ ଜଗତ

ଭୟରେ ବଲିଉଡ ଷ୍ଟାର। ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୁର୍ତ୍ତ । ସଲମାନଙ୍କ ପରେ ଏବେ ଟାର୍ଗେଟରେ ଟାଇଗର ଶ୍ରଫ । ମୁମ୍ବାଇର ଜୁହୁ ଅଞ୍ଚଳରେ ଅଭିନେତାଙ୍କ ଗାଡ଼ି ଉପରକୁ ପାଞ୍ଚ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ଆଉ ଏହି ଗୁଳିମାଡ଼ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ହାତ ଥିବା ଦାବି କରାଯାଇଛି । ଅନ୍ୟପଟେ ଏହି ଖବର ପାଇବା ପରେ ଅଭିନେତା , ନେତ୍ରୀଙ୍କ ଠୁ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଯାଇଥିଲେ ।
ଗୁଳିମାଡ଼ ଘଟଣା ପରେ ଟାଇଗର ଶ୍ରଫ୍ଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏଥିରେ ତାଙ୍କ ହାତରେ ବ୍ୟାଣ୍ଡେଜ୍ ଓ ଅନ୍ୟ ସ୍ଥାନରେ ଡ୍ରେସିଂ ଥିବା ଦେଖାଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟାଇଗରଙ୍କୁ ଭେଟିବା ପରେ କହିଛନ୍ତି ଯେ, ଗୁଳିମାଡ଼ ସମୟରେ ବାରୁଦର ପ୍ରଭାବ ଓ ଭାଙ୍ଗିଥିବା କାଚ ଖଣ୍ଡ ଯୋଗୁଁ ଅଭିନେତାଙ୍କ ବାମ ହାତରେ ଆଘାତ ଲାଗିଛି। ଏହି ଘଟଣା ପରେ ଟାଇଗର ଓ ତାଙ୍କ ମା’ ଭୟଭୀତ ଓ ମାନସିକ ଭାବେ ବିଚଳିତ ଥିବା ସେ କହିଛନ୍ତି। ତାଙ୍କର ପୂର୍ବତନ ପ୍ରେମିକା ତଥା ଚର୍ଚ୍ଚିତ ଅଭିନେତ୍ରୀ ଦିଶା ପଟାନୀ ତାଙ୍କୁ ଭେଟିବାକୁ ଘରେ ପହଞ୍ଚିଥିଲେ। ଅନ୍ୟପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଟାଇଗରଙ୍କୁ ଭେଟି ତାଙ୍କ ସହ କଥା ହୋଇଛନ୍ତି।
ଏହି ଗୁଳିମାଡ଼ରେ ଟାଇଗରଙ୍କ ଡ୍ରାଇଭର ଓ ଜଣେ ଅଟୋରିକ୍ସା ଚାଳକ ଆହତ ହୋଇଥିଲେ। ଡ୍ରାଇଭର ଆହତ ହେବା ପରେ ଟାଇଗର ନିଜେ କାର୍ର ଷ୍ଟିୟରିଂ ଧରି ହସ୍ପିଟାଲ୍ ଅଭିମୁଖେ ଯାଇଥିଲେ। ତେବେ ଏହି ଘଟଣାରେ ତିନି ସୁଟର୍ସଙ୍କୁ ଗିରଫ କରାଯାଇଛି।




