୨୦ ଫୁଟ ତଳକୁ ଖସିଲା ଟ୍ରାଭେଲର: ୮ ଜଣଙ୍କ ମୃତ୍ୟୁ

ଭାବିଥିଲେ ଠାକୁରଙ୍କର ଦର୍ଶନ କରିବେ । ହେଲେ ବାଟରେ ଛକିଥିଲା ଯମ । ଘଟିଛି ବଡ଼ ଦୁର୍ଘଟଣା , ଆଉ ଚାଲିଯାଇଛି ୮ ଜଣଙ୍କ ଜୀବନ । ରାଜସ୍ଥାନର କୋଟା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଭୋପାଳରୁ ରାଜସ୍ଥାନର ପ୍ରସିଦ୍ଧ ଖାଟୁ ଶ୍ୟାମ ମନ୍ଦିର ଅଭିମୁଖେ ଯାଉଥିବା ଟ୍ରାଭେଲରଟି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସିପଡ଼ିଥିଲା। ଯାହା ପରେ ଟ୍ରାଭେଲରଟି ରାସ୍ତା ପାର୍ଶ୍ୱରେ ଥିବା ପ୍ରାୟ ୧୫ ଫୁଟ୍ ଗଭୀର ନାଳ ମଧ୍ୟକୁ ଖସିଯାଇଥିଲା।
ଦୁର୍ଘଟଣାରେ ଟ୍ରାଭେଲରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗାଡି ଭିତରେ ଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାର ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ନାଳରେ କାଦୁଅ ଓ ପାଣି ଜମି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଯାହା ପରେ ଟ୍ରାଭେଲରକୁ ନାଳରୁ ବାହାର କରିବା ପାଇଁ କ୍ରେନ୍ର ସହାୟତା ନିଆଯାଇଥିଲା।
୨୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ ୮ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ କରାଯାଉଛି।




