ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ବନ୍ଦ ହେବନି ମେଟ୍ରୋ

ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ହେବାକୁ ଥିବା CJPର ପ୍ରତିବାଦ ପୂର୍ବରୁ ଲାଗିଥିବା କଟକଣାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।ଦିଲ୍ଲୀ ମେଟ୍ରୋ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରିବର୍ତ୍ତେ, ଯାତାୟାତକୁ ନିୟନ୍ତ୍ରିତ ଭାବେ ଜାରି ରଖିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
କୋର୍ଟଙ୍କ କହିବା ଅନୁଯାୟୀ, ପ୍ରତିବାଦ କରିବା ଏକ ଅଧିକାର। କିନ୍ତୁ ଏହା ସହ ସାଧାରଣ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନରେ ଯେପରି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏପରିକି ପ୍ରତିବାଦ ନାଁରେ ଜାତୀୟ ରାଜପଥ ଅବରୋଧ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।ଅନ୍ୟପଟେ, ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ ବନ୍ଦ, ଟ୍ରେନ୍ ବାତିଲ ଏବଂ ଯାତାୟାତ ଉପରେ ଲାଗିଥିବା କଟକଣାକୁ ନେଇ ଆବେଦନକାରୀମାନେ ପ୍ରଶ୍ନ ଉଠାଇଛନ୍ତି।
ଏବେ ପୋଲିସର ଆଦେଶ ଯାଞ୍ଚ କରିବା ପରେ ଏହି ମାମଲାରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ।ତେବେ, ପ୍ରତିବାଦର ଅଧିକାର ଓ ସାଧାରଣ ଜନତାଙ୍କ ସୁବିଧା ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରାଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।




