ଆଜିଠୁ ପାଗରେ ପରିବର୍ତ୍ତନ । ୯ ଜିଲ୍ଲାରେ ପ୍ରବଳ ବର୍ଷିବ !

ପ୍ରବଳ ଖରାରେ ସିଜୁଛି ଓଡିଶା । ହେଲେ ଆଜିଠୁ ପାଗ ପରିବର୍ତ୍ତନ ହେବ । ଟ୍ରପ୍ ଲାଇନ୍ ପ୍ରଭାବରେ ଆଜିଠୁ ୯ ତାରିଖ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ୯ ଜିଲ୍ଲାରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ।
ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଅଛି। ଏହା ପରେ ଅକ୍ଟୋବର ୯ ତାରିଖ ଅପରାହ୍ନ ପରଠୁ ପାଗ ଶୁଖିଲା ରହିବ। ଏହା ପରେ ପୁଣି ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଅକ୍ଟୋବର ୧୪ ଓ ୧୫ ତାରିଖରେ ଇଷ୍ଟର୍ଲୀ ୱେଭ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି।
ମୌସୁମୀ ଫେରିବା ପୂର୍ବରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିପାରେ। ସେପଟେ ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ସିଷ୍ଟମ ଗଠନ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହି ସିଷ୍ଟମ କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ, ତାହା ଆଗାମୀ କିଛି ଦିନ ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ସିଷ୍ଟମଟି ବିଶେଷ ସଂଗଠିତ ହେଉଥିବା ଜଣାପଡ଼ିନଥିଲେ ମଧ୍ୟ ବାୟୁମଣ୍ଡଳୀୟ ପରିସ୍ଥିତି ଅନୁକୂଳ ରହିଛି।




