Breaking Newsଓଡ଼ିଶାପାଣିପାଗ
ଛୁଇଁଲାଣି ପହିଲି ଶୀତ, କୁହୁଡି ସକାଳର ମଜା ନେଉଛନ୍ତି ଜିଲ୍ଲାବାସୀ

ଛୁଇଁଲାଣି ପହିଲି ଶୀତ । ଆକାଶକୁ ଢାଙ୍କି ରଖିଲାଣି ଧଳା ଚାଦର | ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ଚାରିଆଡେ ଦେଖିବାକୁ ମିଳୁଛି କୁହୁଡିର ଚାଦର। ପାହାଡ଼ ଠାରୁସହରର ଗଳି କନ୍ଦି, ସବୁଠି ଶୀତର ହାଲୁକା ଛୁଆଁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ଅଞ୍ଚଳରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି ।
ସକାଳ ସମୟରେ ଯୁବକ ଓ ବୟସ୍କ ପଡିଆକୁ ଯାଇ ବ୍ୟାୟାମ କରୁଛନ୍ତି । ସେହିପରି ଆଉ କିଛି ଲୋକ ଶୀତୁଆ ସକାଳେ ପ୍ରାତ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଫୁଲବାଣୀ ସହରର ସକାଳର ଦୃଶ୍ୟ ବେଶ ମନୋରମ ହୋଇଛି । କୁହୁଡ଼ିର ଚାଦର, ଶୀତୁଆ ପବନ ଓ କାକର ବିନ୍ଦୁରେ ସଜେଇ ହେଉଛି ପ୍ରକୃତି । ସକାଳୁ ସକାଳୁ କୁହୁଡ଼ିର ଚାଦରରେ ଢାଙ୍କି ହୋଇଯାଇଛି ଫୁଲବାଣୀ ସହର ।




