
ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ନେତା ଦୀପକ ଦାସଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି। ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ନେଇ ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡା. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି।
ସୂଚନା ଅନୁସାରେ, ବାସୁଦେବପୁର ଅଞ୍ଚଳର ଏକ ଘରୋଇ ନର୍ସିଂହୋମରେ ଅନୈତିକ ଭାବେ ଭ୍ରୂଣର ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ହେଉଥିବା ନେଇ ଦୀପକ ଜାଣିବା ପରେ ଏହା ବିରୋଧରେ ସ୍ୱର ଉଠାଇଥିଲେ। ଏହି ନର୍ସିଂହୋମ ସହ କିଛି ରାଜନୈତିକ ବ୍ୟକ୍ତିଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଡା. ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି | ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ସତ୍ୟାପନ ହୋଇନାହିଁ।ଏହା ସହିତ, ଜଣେ ଯୁବତୀଙ୍କ ଉକ୍ତ ନର୍ସିଂହୋମରେ ଗର୍ଭପାତ ପରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।
ଏ ସମ୍ପର୍କରେ ବାସୁଦେବପୁର ଥାନାରେ ମାମଲା ରୁଜୁ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।ଅନ୍ୟପଟେ ଚାନ୍ଦବାଲି ଥାନାରେ ଦୀପକ ଦାସ ଦେଇଥିବା ଏକ ଅଭିଯୋଗକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି।ଦଳର ଦାବି ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଛୋଟ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଝିଅଙ୍କ ଅଶ୍ଳୀଳ ଫଟୋ ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରସାର କରୁଥିବା ନେଇ ଦୀପକ ଅଭିଯୋଗ କରିଥିଲେ।
କଂଗ୍ରେସର ଦାବି ଅନୁସାରେ, ପ୍ରଥମେ ୨୦୨୫ ଅଗଷ୍ଟରେ ଅଭିଯୋଗ ହୋଇଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯାଇନଥିଲା। ପରେ ଜିଲ୍ଲାପାଳଙ୍କ ଜନଶୁଣାଣି ପରେ ୨୦୨୬ ଜାନୁଆରୀରେ ଚାନ୍ଦବାଲି ଥାନାରେ ଏଫଆଇଆର ନମ୍ବର ୩୧ ରୁଜୁ ହୋଇଥିବା ଦାବି କରାଯାଇଛି।ଏହି ଘଟଣାକୁ ନେଇ ଦୀପକ ଦାସ ଚାନ୍ଦବାଲି ଥାନା ଆଇଆଇସି ଓ ଭଦ୍ରକ ଏସପିଙ୍କ ବିରୋଧରେ ଫେସବୁକରେ ଭିଡିଓ ପୋଷ୍ଟ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।ଏହା ପରେ ସେପ୍ଟେମ୍ବର ୬ ତାରିଖ ରାତିରେ ଚାନ୍ଦବାଲିସ୍ଥିତ ତାଙ୍କ ଘରେ ପୁଲିସ ଚଢ଼ାଉ କରିଥିବା ଏବଂ ତାଙ୍କ ଉପରେ ଚାପ ପକାଯାଇଥିବା ଅଭିଯୋଗ ଆଣିଛି କଂଗ୍ରେସ।
ଦଳର ଅଭିଯୋଗ ଅନୁସାରେ, ଏହାପରେ ଦୀପକ ବିଷ ପିଇଥିଲେ। ତାଙ୍କୁ ପ୍ରଥମେ ଚାନ୍ଦବାଲି ହସ୍ପିଟାଲ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ କଟକ ଏସସିବି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କଂଗ୍ରେସ କହିଛି।“ଦୀପକଙ୍କ ବିରୋଧରେ ଯଦି କୌଣସି ଗୁରୁତର ଅପରାଧର ମାମଲା ନଥିଲା, ତେବେ ରାତିରେ ତାଙ୍କ ଘରେ ପୁଲିସ କାହିଁକି ଚଢ଼ାଉ କଲା? ତାଙ୍କୁ ଦିନରେ ଥାନାକୁ ଡାକି କାଉନସେଲିଂ କରାଯାଇପାରିଥାନ୍ତା। ଏହି ଘଟଣାର ତଦନ୍ତ ହେବା ଦରକାର।”




