ମହିଳା କବାଡ଼ିରେ ଭାରତର ସ୍ୱର୍ଣ୍ଣ ବିଜୟ

ମ୍ୟାଚ୍ର ଆରମ୍ଭରୁ ଭାରତ ଦେଖାଇଥିଲା ଦମଦାର ପ୍ରଦର୍ଶନ। ପ୍ରଥମ ହାଫ୍ ଶେଷ ସୁଦ୍ଧା ଭାରତ ୨୨-୧୬ ପଏଣ୍ଟରେ ଆଗୁଆ ଥିଲା।କିନ୍ତୁ ଦ୍ୱିତୀୟ ହାଫ୍ରେ ମ୍ୟାଚ୍ର ଚିତ୍ର ବଦଳିଥିଲା। ଇରାନ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ଏକ ସମୟରେ ଭାରତର ଅଗ୍ରଣୀ ମାତ୍ର ଗୋଟିଏ ପଏଣ୍ଟକୁ ଖସିଆସିଥିଲା।ହେଲେ ନିର୍ଣ୍ଣାୟକ ସମୟରେ ଭାରତୀୟ ଖେଳାଳିମାନେ ରକ୍ଷଣଭାଗରେ ଦେଖାଇଥିଲେ ଚମତ୍କାର ଦକ୍ଷତା। ସଞ୍ଜୁଙ୍କ ଗୁରୁତ୍ୱପୂର୍ଣ୍ଣ ରେଡ୍ ଏବଂ ପୁଷ୍ପା ରାଣାଙ୍କ ଜରୁରୀ ଟ୍ୟାକଲ୍ ଭାରତକୁ ମ୍ୟାଚ୍ରେ ଆଗରେ ରଖିଥିଲା। ଶେଷରେ ୩୭-୩୪ ପଏଣ୍ଟରେ ଇରାନକୁ ପରାସ୍ତ କରି ଭାରତ ହାସଲ କରିଥିଲା ସ୍ୱର୍ଣ୍ଣ ପଦକ।
ଏହି ବିଜୟ ସହ ଏସିଆନ୍ ଗେମ୍ସରେ ମହିଳା କବାଡ଼ିରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଆହୁରି ମଜବୁତ ହୋଇଛି। ୨୦୧୦ରେ ମହିଳା କବାଡ଼ି ଏସିଆନ୍ ଗେମ୍ସରେ ସାମିଲ ହେବା ପରଠାରୁ ୨୦୧୮କୁ ଛାଡ଼ି ଭାରତ ପ୍ରତିଥର ସ୍ୱର୍ଣ୍ଣ ପଦକ ଜିତିଛି।ବିଜୟ ପରେ ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଖୁସିର ମାହୋଲ୍ ଦେଖିବାକୁ ମିଳିଥିଲା। ଖେଳାଳିମାନେ ବିଜୟ ପରିକ୍ରମା କରିବା ସହ ‘ବନ୍ଦେ ମାତରମ୍’ ଗାନ କରି ବିଜୟ ଉତ୍ସବ ପାଳନ କରିଥିଲେ।
ଏବେ ନଜର ପୁରୁଷ କବାଡ଼ି ଦଳ ଉପରେ। ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଭାରତର ମୁକାବିଲା ମଧ୍ୟ ଇରାନ ସହ ହେବ।




