
ଚଳିତ ବନ୍ୟାରେ ଭାସିଥିଲା ଓଡିଶା | ଅନେକ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିଲା | ନାନା ହଇରାଣ ହୋଇଥିଲେ ବନ୍ୟା ପ୍ରଭାବିତ ଅଂଚଳବାସୀ | ଆଉ ଏହି କ୍ଷୟକ୍ଷତିରର ହିସାବ ସରକାର ବିଧାନସଭାରେ ଦେଇଛନ୍ତି | ବନ୍ୟାରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୯୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ଭାଙ୍ଗିଛି ୧୮ ହଜାର ୭୬ଟି ବାସଗୃହ, ନଷ୍ଟ ହୋଇଛି ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଫସଲ ।
ବନ୍ୟା କ୍ଷୟକ୍ଷତିର ଭରଣା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଇଛି । ବ୍ୟକ୍ତିଗତ କ୍ଷତି ଭରଣା ବାବଦରେ ମୋଟ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ଦିଆଯାଇଥିବା ବେଳେ ଘର ନିର୍ମାଣ ସହାୟତା ବାବଦରେ ୩୩ କୋଟି ଟଙ୍କା ଏବଂ ଫସଲ କ୍ଷତି ପାଇଁ ୧୫୧ କୋଟି ଟଙ୍କା ଦିଆଯାଇଛି । ସେହିପରି ବନ୍ୟା ପ୍ରଭାବିତଙ୍କୁ ୯ କୋଟି ୪୭ ଲକ୍ଷ ଟଙ୍କାର ପୋଷାକପତ୍ର ଏବଂ ୯ କୋଟି ୪୭ ଲକ୍ଷ ଟଙ୍କାର ବାସନକୁସନ ବଣ୍ଟନ କରାଯାଇଛି । ବାଲିଚର ଜମି ପୁନରୁଦ୍ଧାର ପାଇଁ ମଧ୍ୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ରିଲିଫ୍ ସାମଗ୍ରୀ ଭାବେ ୧୫ ହଜାର ୭୧୫ କୁଇଣ୍ଟାଲ ଚାଉଳ, ୧୨ ହଜାର ୮୬୩ କୁଇଣ୍ଟାଲ ଡାଲି, ୧ ହଜାର ୪୪୮ କୁଇଣ୍ଟାଲ ଗୁଡ଼, ୪ ହଜାର ୧୨୭ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଏବଂ ୨୮ ହଜାର ୬୫୧ଟି ପଲିଥିନ୍ ବଣ୍ଟନ କରାଯାଇଛି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।




